ସାରସ୍ୱତ ସାଧକ ଅଶ୍ବିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାରରେ ସମ୍ମାନିତ
ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଗତକାଲି ବିଷୁବ ମଣ୍ତପରେ ୭୭ ତମ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି | ଏହି ଅବସରରେ ସାରସ୍ୱତ ସାହିତ୍ୟ ସାଧକ ମାନେ ଏକାଠି ହୋଇଥିଲେ | ଏହି ଅବସରରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଅଧକ୍ଷ ତଥା ‘ଝଙ୍କାର’ର ମୁଖ୍ୟ ସମ୍ପାଦକ ଭର୍ତ୍ତୃହରି ମହତାବ ସମସ୍ତ ସାହିତ୍ୟ ସାଧକଙ୍କୁ ସ୍ୱାଗତ କରିଥିଲେ | ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ହିନ୍ଦୀ ସାହିତ୍ୟର ଦିଗଗଜ କବି ଅରୁଣ କମଲ ଯୋଗ ଦେଇ କହିଥିଲେଯେ, ଓଡ଼ିଆ ଓ ହିନ୍ଦୀ ସାହିତ୍ୟ ମଧ୍ଯରେ ନିବିଡ଼ ସମ୍ପର୍କ ରହିଛି | ହିନ୍ଦୀ ସାହିତ୍ୟ ଉପରେ ଓଡ଼ିଆ କବି ଓ ଲେଖକମାନଙ୍କର ବଡ ପ୍ରଭାବ ପଡିଛି | ସେ ଏହି ମୁହୂର୍ତ୍ତରେ ପ୍ରଖ୍ୟାତ କବି ମାନଙ୍କୁ ସ୍ମରଣ କରିଛନ୍ତି |
ପ୍ରତ୍ୟକ ବର୍ଷ ଭଳି ‘ଝଙ୍କାର’ ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ବିଶିଷ୍ଟ ସାହିତ୍ୟ ସାଧକଙ୍କୁ ବିଷୁବ ପୁରସ୍କାର ପ୍ରଦାନ କରାଯାଇଥାଏ | ଏହି ବର୍ଷ ବିଶିଷ୍ଟ କବି ଓ ଲେଖକ ଅଶ୍ଵିନୀକୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ପ୍ରଦାନ କରାଯାଇଛି | ତାଙ୍କୁ ଏକ ଲକ୍ଷ ଟଙ୍କାର ଚେକ ସହିତ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି କବି ଅରୁଣ କମଲ | ବିଶିଷ୍ଟ କବି ଓ ଲେଖକ ଅଶ୍ଵିନୀକୁମାର କଳା ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସେକ୍ରେଟେରୀ ଥିଲେ | ସେ ଏହି ପୁରସ୍କାର ପାଇଁ ନିଜର କୃତଜ୍ଞତା ଜ୍ଞାପନ କରିଥିଲେ | ହରେକୃଷ୍ଣ ମହତାବଙ୍କ ସ୍ମୃତିକୁ ମନେ ପକାଇ ସେ କହିଥିଲେଯେ, ପ୍ରତ୍ୟେକ ସାହିତ୍ୟିକଙ୍କ ହୃଦୟରେ ସେ ଚିର ଅମର ରହିବେ | ଏହାସହିତ ‘ଝଙ୍କାର’ରେ ପ୍ରଥମ କବିତାର ପ୍ରକାଶନ ସମୟର ଉତ୍ସାହ ଓ ଉନ୍ମାଦନାକୁ ମନେ ପକାଇଥିଲେ | ସେ ଆହୁରି କହିଥିଲେଯେ , “ପ୍ରତିଭାର କେବେବି ବିଲୁପ୍ତି ନାହିଁ | ଆଜିର ଡିଜିଟାଇଜେସନ ଏବଂ ସ୍ପେସ ହୋଲ୍ଡ ଯୁଗର ଚ୍ୟାଲେଞ୍ଜ ଭିତରେ ‘ଝଙ୍କାର’ ଓ ‘ପ୍ରଜାତନ୍ତ୍ର’ ରହିଛି ଓ ରହିବ |”

