ଦିଲ୍ଲୀ ବିମାନବନ୍ଦରରେ ୨ ବିମାନ ମଧ୍ୟରେ ଧକ୍କା! ସମସ୍ତ ଯାତ୍ରୀ ସୁରକ୍ଷିତ
ନୂଆଦିଲ୍ଲୀ, ୧୬|୪: ଆଜି ଦିଲ୍ଲୀ ବିମାନବନ୍ଦରରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛି ଦୁଇ ବିମାନ! ଅପରାହ୍ନ ପ୍ରାୟ ୨:୧୫ ପାଖାପାଖି ସ୍ପାଇସ୍ଜେଟ୍ର ଏକ ବିମାନ ରନୱେରେ ଟ୍ୟାକ୍ସିଂ କରୁଥିବା ବେଳେ ସେଠାରେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଆକାଶ ଏୟାରର ବିମାନକୁ ଧକ୍କା ଦେଇଥିଲା। ତେବେ ଏହି ଦୁର୍ଘଟଣାରେ ଉଭୟ ବିମାନ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି | କିନ୍ତୁ କୌଣସି ଯାତ୍ରୀ କିମ୍ବା କ୍ରୁ ସଦସ୍ୟ ଏଥିରେ ଆହତ ହୋଇନାହାନ୍ତି।
ରିପୋର୍ଟ ଅନୁସାରେ , ଲେହରୁ ଆସିଥିବା ସ୍ପାଇସଜେଟ୍ ବିମାନଟି ଗେଟ୍ ଆଡ଼କୁ ଯାଉଥିବା ବେଳେ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିବା ଆକାଶ ଏୟାର ବିମାନ ସହ ଧକ୍କା ହୋଇଥିଲା, ଯାହାଫଳରେ ସ୍ପାଇସ୍ଜେଟ୍ର ର ଡାହାଣ ପଙ୍ଖ ଏବଂ ଆକାଶ ଏୟାରର ପଛ ଭାଗ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଛି।
ଅନ୍ୟପଟେ ଏହି ଘଟଣାକୁ ନେଇ ଆକାଶ ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି ହୋଇଛି | ବିବୃତ୍ତିରେ କୁହାଯାଇଛି ଯେ, ସେମାନଙ୍କ ବିମାନଟି ସ୍ଥିର ଅବସ୍ଥାରେ ଥିବା ବେଳେ ଅନ୍ୟ ବିମାନଟି ସହ ସଂସ୍ପର୍ଶରେ ଆସିଥିଲା | ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବିମାନରୁ ତଳକୁ ଓହ୍ଲାଇ ଦିଆଯାଇଛି। ଏହାସହିତ ବିମାନ ବନ୍ଦରର ଗ୍ରାଉଣ୍ଡ ଟିମ୍ ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବ୍ୟବସ୍ଥା କରିଛନ୍ତି ଯାହାଦ୍ୱାରା ସେମାନେ ହାଇଦ୍ରାବାଦରେ ଶୀଘ୍ର ପହଞ୍ଚିପାରିବେ।

