ନାସିକ ସହରରେ ଥିବା ଟିସିଏସ୍ ରେ ବଳପୂର୍ବକ ଧର୍ମାନ୍ତରୀକରଣ ଘଟଣା; ଏନେଇ ସୁପ୍ରିମକୋର୍ଟରେ ଦାଖଲ ହେଲା ପିଟିସନ
ନୂଆଦିଲ୍ଲୀ,୧୭ | ୪: ମହାରାଷ୍ଟ୍ରର ନାସିକ ସହରରେ ଥିବା ଟିସିଏସ୍ (ଟାଟା କନ୍ସଲଟାନ୍ସି ସର୍ଭିସ) କାର୍ଯ୍ୟାଳୟରେ ହିନ୍ଦୁ କର୍ମଚାରୀଙ୍କୁ ଜୋର ଜବରଦସ୍ତ ଧର୍ମାନ୍ତରୀକରଣ ଏବଂ ଯୌନ ନିର୍ଯାତନା ଦେବା ପ୍ରସଙ୍ଗ ଭଳି ଏକ ସଙ୍ଗୀନ ଘଟଣା ସାମ୍ନାକୁ ଆସିଥିଲା | ତେବେ ଏହାକୁ ନେଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଏର କରାଯାଇଛି। ବରିଷ୍ଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ଏନେଇ ଏକ ପିଟିସନ ଦାଖଲ କରିଛନ୍ତି | ଏହି ପିଟିସନରେ ,ଏହି ବଳପୂର୍ବକ ଧର୍ମାନ୍ତରୀକରଣକୁ ଆତଙ୍କବାଦୀ କାର୍ଯ୍ୟ ବୋଲି ଘୋଷଣା କରିବାକୁ ପିଟିସନରେ ଉଲ୍ଲେଖ କରାଯାଇଛି ।
ନାସିକର ଏହି ଟିସିଏସ କାର୍ଯ୍ୟାଳୟରେ ହାତଗଣତି କେତେକ ବରିଷ୍ଠ କର୍ମଚାରୀଙ୍କ ଏତାଦୃଶ କାର୍ଯ୍ୟ ଦେଶର ସାର୍ବଭୌମତ୍ବ, ଧର୍ମନିରପେକ୍ଷତା ଏବଂ ନାଗରିକଙ୍କ ସ୍ବାଧୀନତା ଉପରେ ଆଞ୍ଚ ଆଣିବା ସହ ଏକତା ଓ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଉପାଧ୍ୟାୟ ପିଟିସନରେ ଅଭିଯୋଗ କରିଛନ୍ତି। ଏହା ଏକ ଉଦ୍ଦେଶ୍ୟମୂଳକ ଷଡଯନ୍ତ୍ର ଏବଂ ଏହା ଉପରେ ରୋକ୍ ଲଗାଯିବାର ଆଵଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ଅନ୍ୟପଟେ, ବଳପୂର୍ବକ ଧର୍ମାନ୍ତରୀକରଣ ମାମଲାର ବିଚାର ପାଇଁ ସ୍ବତନ୍ତ୍ର ଅଦାଲତ ସ୍ଥାପନ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି। ସମ୍ବିଧାନର ଧାରା ୨୫ ଅନୁଯାୟୀ, ନିର୍ଦିଷ୍ଟ କୌଣସି ଧର୍ମ ଗ୍ରହଣ କରିବା, ଏହାକୁ ପାଳନ କରିବା ଏବଂ ପ୍ରଚାର କରିବା ଅଧିକାର ପ୍ରତ୍ୟେକ ନାଗରିକଙ୍କ ନିକଟରେ ଅଧିକାର ରହିଛି କିନ୍ତୁ ତାହା ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସମ୍ପାଦନ କରିବାକୁ ପଡିଥାଏ। ବଳପୂର୍ବକ ଧର୍ମାନ୍ତରୀକରଣ ଏକ ଗୁରୁତର ପ୍ରସଙ୍ଗ ହୋଇଥିବାବେଳେ ଏହାକୁ ନେଇ ରାଜନୀତି କରିବା ଆବଶ୍ୟକ ନାହିଁ ବୋଲି ଉପାଧ୍ୟାୟ କହିଛନ୍ତି |

