ଚର୍ଚ୍ଚିତ ବ୍ୟବସାୟୀ ସୁଧୀର ପାତ୍ରଙ୍କ ହତ୍ୟା ମାମଲା; ଝିଆରୀ ମୁଖ୍ୟ ଅଭିଯୁକ୍ତ! ସହଯୋଗ କରିଥିଲା ବୟଫ୍ରେଣ୍ଡ
ବ୍ରହ୍ମପୁର, ୨୩ |୪ : ରହସ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲାର ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି। ପୋଲିସ ହତ୍ୟା ଘଟଣାର ପ୍ରକୃତ ଅପରାଧୀକୁ ଧରିବାରେ ସଫଳ ହୋଇଛି | ତେବେ ସୁଧୀରଙ୍କ ଅପହରଣ ଏବଂ ହତ୍ୟା ମାମଲା ପଛରେ ପରିବାର ଲୋକଙ୍କ ସମ୍ପୃକ୍ତି ରହିଛି। ଏହି ଘଟଣାରେ ପୋଲିସ ମୋଟ୍ ୯ ଜଣଙ୍କୁ ଗିରଫ କରିଛି | ଏନେଇ ଗଞ୍ଜାମ ଏସ୍ପି ସୂଚନା ଦେଇଛନ୍ତି ।
ପୋଲିସର ବହୁ ଉଦ୍ୟମ ପରେ ପ୍ରକୃତ ଅଭିଯୁକ୍ତ ଏବେ ସାମ୍ନାକୁ ଆସିଛି | ଘଟଣାରେ ବ୍ୟବସାୟୀଙ୍କ ଝିଆରୀ ନିବେଦିତା ପାତ୍ର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି | ଆଉ ସମସ୍ତ ଅପହରଣ ଏବଂ ହତ୍ୟା ନାଟକର ରଚୟିତା ହେଉଛନ୍ତି ନିବେଦିତା ପାତ୍ରଙ୍କ ବୟଫ୍ରେଣ୍ଡ୍ କାଳୁ ପ୍ରଧାନ | ସେ ଏହାକୁ ନାଟକୀୟ ଭାବେ ରଚିଥିଲେ | ଏହାସହିତ ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିଲେ। ଏହି ମାମଲାରେ ସାମିଲ ହୋଇଥିବା ଅଭିଯୁକ୍ତମାନେ ହେଲେ ସତ୍ୟନାରାୟଣପୁର ଗ୍ରାମର ତୁଷାର କୁମାର ପାତ୍ର, ତାଙ୍କ ଭଉଣୀ ନିବେଦିତା ପାତ୍ର, ନିବେଦିତା ପୁରୁଷ ବନ୍ଧୁ ଗାଙ୍ଗପୁର ଥାନା କାଳିଆଗୁଡ଼ ଅଞ୍ଚଳର କାଳୁ ଚରଣ ପ୍ରଧାନ, ଆଶିଷ ମହାପାତ୍ର, ଗୋଳାବନ୍ଧର ନାରାୟଣ ପ୍ରଧାନ, ହିଞ୍ଜିଳି ଥାନା ଅଞ୍ଚଳର ଶୁଭମ ନାୟକ, ଶୁଭମ ଗୌଡ଼, ସୂର୍ଯ୍ୟ ପ୍ରତାପ ସିଂ ଓ ଜିତୁନ୍ ପଳେଇ । ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ପ୍ରଥମେ ଅପହରଣ କରିବା ଏବଂ ପରେ ପିଟି ପିଟି ହତ୍ୟା କରି ଶେଷରେ ଫିଙ୍ଗି ଦିଆଯାଇଥିବା ଜଣାପଡିଛି। ଏହି ମାମଲାରେ ଏକାଧିକ ଅଭିଯୁକ୍ତ ଏ ପର୍ଯ୍ୟନ୍ତ ଫେରାର ରହିଥିବା ନେଇ ଦକ୍ଷିଣାଞ୍ଚଳ ଆଇଜି ନୀତି ଶେଖର ସୂଚନା ଦେଇଛନ୍ତି ।

