ଆଜିଠୁ ଜୁନ୍ ୧୭ ପର୍ଯ୍ୟନ୍ତ ହେବ ଖରା ଛୁଟି !
ଭୁବନେଶ୍ୱର, ୨୭|୪ : ଆଜିଠୁ ରାଜ୍ୟର ସମସ୍ତ ବିଦ୍ୟାଳୟ ପାଇଁ ଗ୍ରୀଷ୍ମ କାଳୀନ ଛୁଟି ଘୋଷଣା ହୋଇଛି | ବଢୁଥିବା ତାପମାତ୍ରା ଏବଂ ପ୍ରବଳ ଗ୍ରୀଷ୍ମ ପ୍ରବାହର ଲହରୀକୁ ଦେଖି ରାଜ୍ୟ ସରକାର ଆସନ୍ତା ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି କରିବାକୁ ଘୋଷଣା କରିଛନ୍ତି । ବର୍ତ୍ତମାନ ରାଜ୍ୟବ୍ୟାପୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସ୍କୁଲ ପିଲାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହିତ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି ।
ସୂଚନାଯୋଗ୍ୟ, ଗଣଶିକ୍ଷା ବିଭାଗର ଶିକ୍ଷା କ୍ୟାଲେଣ୍ଡର ଅନୁସାରେ, ମେ’୬ରୁ ଜୁନ୍ ୧୭ ଯାଏ ଗ୍ରୀଷ୍ମକାଳୀନ ଛୁଟି ଅବଧି ରହିଛି । ପ୍ରବଳ ଖରା ଯୋଗୁଁ ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି | ତେବେ ଛୁଟି ସମୟରେ ପିଲାଙ୍କର ପାଠପଢ଼ା ଯେପରି କ୍ଷତି ନହୁଏ ସେଥିଲାଗି ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ତଥା ‘ସମର ଲର୍ଣ୍ଣିଂ’ କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ପରୀକ୍ଷା, ଜନଗଣନା କାର୍ଯ୍ୟ ଓ ଅନ୍ୟ ଅଫିସ୍ କାର୍ଯ୍ୟ ପୂର୍ବପରି ଜାରି ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି |

