ଲଣ୍ଡନରେ ନିଲାମ ହେବ ଗାୟତ୍ରୀ ଦେବୀଙ୍କ ବିରଳ ଜ୍ୟୋତିର୍ବିଜ୍ଞାନ ‘ସୁପର କମ୍ପ୍ୟୁଟର’! ଆଜିରୁ ସ୍ମାର୍ଟ ଫୋନକୁ ବି ପଛରେ ପକାଇ ଦେବ ଏହି ଯନ୍ତ୍ର
ନୂଆଦିଲ୍ଲୀ, ୨୭ | ୪ : ବ୍ରିଟେନ୍ ର ପ୍ରସିଦ୍ଧ ନିଲାମକାରୀ ସଂସ୍ଥା ସୋଥବୀ’ଜ୍ ପକ୍ଷରୁ ଆସନ୍ତା ୨୯ ତାରିଖରେ ‘ଆର୍ଟସ ଅଫ୍ ଦ ଇସଲାମିକ ୱାର୍ଲଡ ଇନ୍ ଇଣ୍ଡିଆ’ ନାମକ ଏକ ଐତିହାସିକ ନିଲାମୀ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ଭାରତର ସପ୍ତଦଶ ଶତାଦ୍ଦୀର ଏକ ବିଶାଳ ଆଷ୍ଟ୍ରୋଲାବ୍ (ଖଗୋଳୀୟ ଗଣନା ଯନ୍ତ୍ର) ବିକ୍ରି ଲାଗି ଉପଲବ୍ଧ ହେବାର ରହିଛି ।୧୬୧୨ ମସିହାରେ ନିର୍ମିତ ଏହି ଚମତ୍କାର ପିତ୍ତଳ ଆଷ୍ଟ୍ରୋଲାବକୁ ମୋଗଲ ଯୁଗର ସବୁଠାରୁ ବଡ଼ ଜ୍ୟୋତିର୍ବିଜ୍ଞାନ ସୁପର କମ୍ପ୍ୟୁଟର ଭାବରେ ବିବେଚନା କରାଯାଏ।
ବିବିସିର ରିପୋର୍ଟ ଅନୁଯାୟୀ , ଏହି ଆଷ୍ଟ୍ରୋଲାବ୍କୁ ସମୟ, ତାରା ମାନଙ୍କର ଅବସ୍ଥାନ ସଂପର୍କରେ ଜାଣିବା, ଗ୍ରହ ନକ୍ଷତ୍ରଙ୍କ ଗତିବିଧି ବିଷୟରେ ଅବଗତ ହେବା ଲାଗି ବ୍ୟବହାର କରାଯାଇଥାଏ । ୮.୨ କିଲୋ ଓଜନ ବିଶିଷ୍ଟ ଏହି ଯନ୍ତ୍ରର ବ୍ୟାସ ୩୦ ସେମି ଏବଂ ଉଚ୍ଚତା ୪୬ ସେମି । ତତ୍କାଳୀନ ସମୟରେ ଭାରତରେ ମିଳୁଥିବା ଆଷ୍ଟ୍ରୋଲାବଠାରୁ ଏହା ଆକାରରେ ୪ ଗୁଣ ବଡ଼ । ଜୟପୁରର ମହାରାଜା ସୱାଇ ମାନ ସିଂହ ଦ୍ୱିତୀୟଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ମହାରାଣୀ ଗାୟତ୍ରୀ ଦେବୀ ଏହି ଯନ୍ତ୍ରକୁ ରଖିଥିଲେ । ଏହାପରେ ଗାୟତ୍ରୀ ଦେବୀଙ୍କ ଜୀବିତ ଥିବା ସମୟରେ ତାହା ଏକ ଘରୋଇ ସଂଗ୍ରହକାରୀଙ୍କୁ ଦେଇ ଦିଆଯାଇଥିଲା ।
ଅକ୍ସଫୋର୍ଡ ସେଣ୍ଟର ଫର ହିଷ୍ଟ୍ରି ଅଫ୍ ସାଇନ୍ସ, ମେଡିସିନ୍ ଆଣ୍ଡ ଟେକ୍ନୋଲୋଜିର ଡ. ଫ୍ରେଡରିକା ଗିଙ୍ଗାଟେଙ୍କ ଅନୁସାରେ, ଆଜିର ସ୍ମାର୍ଟଫୋନ୍ ସହ ଏହି ଆଷ୍ଟ୍ରୋଲାବର କ୍ଷମତା ସମାନ ହେବ । କାରଣ ଏହାଦ୍ୱାରା ଅନେକଗୁଡ଼ିଏ କାମ କରିହେବ । ଏହା ଦ୍ୱାରା ସୂର୍ଯ୍ୟାସ୍ତ, ସୂର୍ଯ୍ୟୋଦୟ ସମୟ, କୌଣସି କୋଠାର ଉଚ୍ଚତା, କୂଅର ଗଭୀରତା ସଂପର୍କରେ ବିଷୟରେ ଅତି ସହଜରେ ଜାଣି ହେବ । ତେବେ ପୂର୍ବରୁ ଏହାକୁ ଜାତକ ପ୍ରସ୍ତୁତି ଲାଗି ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା । ସପ୍ତଦଶ ଶତାଦ୍ଦୀର ଆରମ୍ଭରେ ଲାହୋରରେ ଏହାକୁ ପ୍ରସ୍ତୁତ କରାଯାଇଥିଲା । ଆଉ ସେତେବେଳେ ଏହି ସହର ଆଷ୍ଟ୍ରୋଲାବ ନିର୍ମାଣର ପ୍ରମୁଖ କେନ୍ଦ୍ର ପାଲଟିଥିଲା । ସୂଚନା ଅନୁସାରେ, କାୟମ ମହମ୍ମଦ ଏବଂ ମହମ୍ମଦ ମୁକିମ ନାମକ ଦୁଇ ଭାଇ ମିଶି ଜଣେ ଧନୀ ମୋଗଲ ଆକା ଅଫଜଲଙ୍କ ପାଇଁ ଏହି ଯନ୍ତ୍ରଟି ତିଆରି କରିଥିଲେ । ତାହା ପରେ ମହାରାଜା ସୱାଇ ମାନସିଂହଙ୍କ ସଂଗ୍ରହ ମଧ୍ୟକୁ ଆସିଥିଲା ।
ସୋଥବୀର ‘ଇସଲାମିକ ଆଣ୍ଡ ଇଣ୍ଡିଆନ ଆର୍ଟ’ ବିଭାଗର ମୁଖ୍ୟ ବେନେଡିକ୍ଟ କାର୍ଟରଙ୍କ ଅନୁସାରେ ଏହି ଯନ୍ତ୍ର ହେଉଛି ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଥିବା ସବୁଠୁ ବିଶାଳ ଏବଂ ଦୁର୍ଲଭ ଖଗୋଳୀୟ ଉପକରଣ । ତେବେ ପ୍ରଥମ ଥର ପାଇଁ ଏହାକୁ ସାର୍ବଜନୀନ ମଞ୍ଚରେ ପ୍ରଦର୍ଶନ ଏବଂ ନିଲାମ କରାଯିବାକୁ ଥିବାରୁ ସାରା ବିଶ୍ୱର ଅନେକ ସଂଗ୍ରହକର୍ତ୍ତା ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଭାରତୀୟ ମୁଦ୍ରାରେ ଏହି ଐତିହାସିକ ଉପକରଣଟି ପ୍ରାୟ ୧୫-୨୦ କୋଟି ଟଙ୍କାରେ ବିକ୍ରି ହୋଇପାରେ ବୋଲି କାର୍ଟର କହିଛନ୍ତି ।

