ବାଘୁଣୀ ‘ଜିନ୍ନତ’ ପ୍ରେମରେ ପଡି ଓଡ଼ିଶାର ଶିମିଳିପାଳ ଜଙ୍ଗଲକୁ ଆସିଛି ମହାବଳ ବାଘ!
ବାରିପଦା ୨୭|୪: ଦୁଇ ରାଜ୍ୟ ପାର କରି ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ଆସି ପହଁଚିଛି ମହାବଳ ବାଘ | ଶିମିଳିପାଳର ଘଞ୍ଚ ଜଙ୍ଗଲରେ ପ୍ରାୟ ୫ ମାସ ହେଲା ବୁଲି ବୁଲି ନିଜ ପ୍ରେମିକା ବାଘୁଣୀ ‘ଜିନ୍ନତ’କୁ ଖୋଜୁଛି ।
ବନ ବିଭାଗର ସୂଚନା ଅନୁସାରେ , ମହାବଳ ବାଘଟିର ବୟସ ପ୍ରାୟ ୪ରୁ ୫ ବର୍ଷ ମଧ୍ୟରେ ହେବ । ଗତ ଅଗଷ୍ଟ-ସେପ୍ଟେମ୍ବର ମାସରେ ଛତିଶଗଡ଼ରୁ ଓଡିଶା ସୀମା ଡେଇଁ ସୁନ୍ଦରଗଡ଼, ବଣାଇ ଜଙ୍ଗଲରେ ପ୍ରବେଶ କରିଥିଲା । ପରେ ବାମରା-ଗଙ୍ଗପୁର ଜଙ୍ଗଲ ଦେଇ ଦେବଗଡ଼, କାମାକ୍ଷାନଗର ଓ କେନ୍ଦୁଝର ଜଙ୍ଗଲରେ ବୁଲି ଶେଷରେ ଡିସେମ୍ବର ମାସରେ ଶିମିଳିପାଳରେ ଜଙ୍ଗଲକୁ ପଶିଥିଲା । ତେବେ ମହାବଳ ବାଘ ବୁଲୁଥିବାର ଦୃଶ୍ୟ ସେହି ମାସ ୨୪ ତାରିଖରେ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରାରେ କଏଦ ହୋଇଥିଲା । ୫ ମାସ ଭିତରେ ଶିମିଳିପାଳର (ଉତ୍ତର)ଘଞ୍ଚ ଜଙ୍ଗଲ ଉକ୍ତ ମହାବଳ ବାଘ ପାଇଁ ଉପଯୁକ୍ତ ବାସସ୍ଥାନ ପାଲଟିଛି ।
ଏହି ହୃଷ୍ଟପୁଷ୍ଟ ମହାବଳଟି ମହାରାଷ୍ଟ୍ରର ତଡ଼ଭା-ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପର ବୋଲି କୁହାଯାଉଛି । ବାଘୁଣୀ ‘ଜିନ୍ନତ’ ପ୍ରେମରେ ପଡି ଏଠାକୁ ଅସିଥାଇପାରେ ଅନୁମାନ କରାଯାଉଛି | ତେବେ ସୂଚନା ଅନୁସାରେ, ୨୦୨୪ ମସିହା ନଭେମ୍ବରରେ ମହାରାଷ୍ଟ୍ର ତଡ଼ଭା-ଅନ୍ଧାରୀ ପ୍ରକଳ୍ପରୁ ୩ ବର୍ଷୀୟା ବାଘୁଣୀ ଜିନ୍ନତକୁ ଶିମିଳିପାଳକୁ ଅଣାଯାଇଥିଲା । ଜିନ୍ନତ ପାଇଁ ଏ ପରିବେଶ ନୂଆ ଥିଲା ତେଣୁ ତାକୁ ଏହି ଅଞ୍ଚଳରେ ଖାପଖୁଆଇ ଚଳିବା କଷ୍ଟକର ହୋଇ ପଡିଥିଲା | ତେଣୁ ସେ ସୁବର୍ଣ୍ଣରେଖା ନଦୀ ପହଁରି ଝାଡ଼ଖଣ୍ଡ ମୁହାଁ ହେଲା । ଦୀର୍ଘ ମାସେ ଧରି ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ଜଙ୍ଗଲରେ ବୁଲିଲା । ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ପରେ ଜିନ୍ନତକୁ ଓଡିଶାକୁ ଅଣାଗଲା । ଗତବର୍ଷ ଏପ୍ରିଲ ମାସରେ ଯମୁନାଗଡ଼ସ୍ଥିତ ସ୍ୱତନ୍ତ୍ର ଏନ୍କ୍ଲୋଜରରୁ ମୁକୁଳିଛି ଜିନ୍ନତ । ଏବେ ଶିମିଳିପାଳର ଗୁଡୁଗୁଡିଆ ଜଙ୍ଗଲରେ ଘୂରି ବୁଲୁଥିବାର ସୂଚନା ମିଳିଛି ।
ତେବେ ବାଘ-ବାଘୁଣୀ ଉଭୟଙ୍କ ବୟସ ସମାନ । ଦୁହେଁ ମଧ୍ୟ-ଭାରତୀୟ ବ୍ୟାଘ୍ର ଲ୍ୟାଣ୍ଡସ୍କେପ୍ରେ ରହୁଥିଲେ । ୨୦୨୪ ବର୍ଷ ଶେଷ ବେଳକୁ ଏ ଦୁହେଁ ପରସ୍ପରଠାରୁ ଅଲଗା ହୋଇଥିଲେ । ଏବେ ଉଭୟେ ଘଞ୍ଚ ଶିମିଳିପାଳର ଆଖପାଖ ଏରିଆରେ ରାଉଥିବାର ଅନୁମାନ କରାଯାଉଛି । ଜିନ୍ନତର ବେକରେ ରେଡିଓ କଲାର ବନ୍ଧାଯାଇଥିବାରୁ ସହଜରେ ଲୋକେସନ ଟ୍ରାକିଂ କରାଯାଇ ତାର ଗତିବିଧି ଉପରେ ନଜର ରଖାଯାଉଛି । କିନ୍ତୁ ମହାରାଷ୍ଟ୍ରର ଯୁବ ମହାବଳର ପତ୍ତା ଜଣାପଡୁନାହିଁ । ଟ୍ରାପ୍ କ୍ୟାମେରାରୁ ଗତିବିଧି ଉପରେ ନଜର ରଖାଯାଉଛି । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏ ନେଇ ଖୁସିବ୍ୟକ୍ତ କରିଛନ୍ତି । କହିଛନ୍ତି, ଓଡିଶା ଜଙ୍ଗଲରେ ବାଘ ମାନଙ୍କ ବସବାସ ପାଇଁ ପରିବେଶ ବେଶ ଅନୁକୂଳ ରହିଛି | ଜୈବ ବିବିଧତା ପୂର୍ଣ୍ଣ ଶିମିଳିପାଳ ଦୂର ଅଞ୍ଚଳର ବନ୍ୟଜନ୍ତୁଙ୍କୁ ଆକର୍ଷିତ କରୁଛି । ଏହି ଯୁବ ବାଘଟି ସୁସ୍ଥ ଓ ସୁରକ୍ଷିତ ଅଛି । ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ଡ. ପ୍ରକାଶ ଚନ୍ଦ୍ର ଗୋଗିନେନି କହିଛନ୍ତି, ଡିସେମ୍ବର-ଜାନୁଆରୀରେ ଏକ ରୟାଲ ବେଙ୍ଗଲ ବାଘ ଶିମିଳିପାଳରେ ପ୍ରବେଶ କରିଛି । ବାଘ ଗଣନା ପାଇଁ ଜଙ୍ଗଲରେ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରାରେ ବାଘଟିର ଗତିବିଧି କଏଦ୍ ହୋଇଛି । ତେବେ କେଉଁ ରାଜ୍ୟରୁ ଆସିଛି? ଏବଂ କେତେ ଦୂର ଅତିକ୍ରମ କରିଛି? ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ ।

