ଇରାନ୍ ପକ୍ଷରୁ ଆମେରିକାକୁ ତିନି ପ୍ରସ୍ତାବ! ପ୍ରଥମ ପ୍ରସ୍ତାବରେ ଯୁଦ୍ଧ ବନ୍ଦ କରିବାର ଗ୍ୟାରେଣ୍ଟି ମାଗିଛି ଇରାନ
ନୂଆଦିଲ୍ଲୀ, ୨୭ | ୪ : ପାକିସ୍ତାନର ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନାରୁ ଆମେରିକା ଏବଂ ଇରାନ ଉଭୟ ଓହରି ଯାଇଛନ୍ତି । କିନ୍ତୁ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟର ସୂଚନା ଅନୁସାରେ , ଆମେରିକା ପୁଣିଥରେ ଶାନ୍ତି ଆଲୋଚନା କରିବାକୁ ଇଛା ପ୍ରକାଶ କରୁଛି , କିନ୍ତୁ ଅନ୍ୟପଟେ, ଇରାନ ଆଲୋଚନା ପାଇଁ ଏକ ତିନି-ପର୍ଯ୍ୟାୟ ଫର୍ମୁଲା ପ୍ରସ୍ତାବ ଦେଇଛି। ତେବେ ଇରାନ ଓ ଆମେରିକା ବିବାଦ ସମାଧାନ କରୁଥିବା ମଧ୍ୟସ୍ଥିଙ୍କ ମାଧ୍ୟମରେ ଇରାନ ଆମେରିକାକୁ ଜଣାଇ ଦେଇଛି ଯେ, ଯଦି ଆଲୋଚନାକୁ ସଫଳତାର ସହ ପୁଣି ଠାରେ ଆରମ୍ଭ କରିବାକୁ ଆଗ୍ରହୀ ତେବେ ସେମାନଙ୍କୁ ଏହି ପ୍ରସ୍ତାବକୁ ମାନିବାକୁ ପଡିବ |
ସୂଚନାଯୋଗ୍ୟ, ଇରାନ ପକ୍ଷରୁ ପଠାଯାଇଥିବା ଏହି ପ୍ରସ୍ତାବର ପ୍ରଥମ ପର୍ଯ୍ୟାୟରେ ଦୀର୍ଘ ଦୁଇ ମାସଠୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧକୁ ସମ୍ପୂର୍ଣ୍ଣ ଭାବେ ଶେଷ କରିବାକୁ ଉଲ୍ଲେଖ କରାଯାଇଛି | ଏହାସହିତ ଇରାନ ଏବଂ ଲେବାନନ ବିରୋଧରେ ପୁଣି ଯୁଦ୍ଧ ନକରିବା ପାଇଁ ଗ୍ୟାରେଣ୍ଟି ମାଗିଛି ଇରାନ |
ସେହିପରି ଯଦି ପ୍ରଥମ ପର୍ଯ୍ୟାୟର ଦାବିଗୁଡ଼ିକ ଉପରେ ଆମେରିକା ସହମତି ହୁଏ, ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅବରୋଧ ହର୍ମୁଜ୍ ପ୍ରଣାଳୀର ପରିଚାଳନା ଏବଂ ପ୍ରଶାସନ ବିଷୟରେ ଦୁଇପକ୍ଷ ଆଲୋଚନା କରିବେ ବୋଲି ମଧ୍ୟ ଏହି ପ୍ରସ୍ତାବରେ ଦର୍ଶାଯାଇଛି |
ତେବେ ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଅତିକ୍ରମ କରିବା ପରେ ହିଁ ଇରାନ ପରମାଣୁ ପ୍ରସଙ୍ଗ ଉପରେ ଆଲୋଚନା କରିବ। କାରଣ ଆମେରିକା ଦୀର୍ଘ ଦିନ ଧରି ତେହେରାନକୁ ୟୁରାନିୟମ ସମୃଦ୍ଧି ବନ୍ଦ କରିବାକୁ ଏବଂ ଦେଶରୁ ଏହାର ଷ୍ଟକ୍ପିଲ୍ ସ୍ଥାନାନ୍ତର କରିବାକୁ ଦାବି କରିଆସୁଛି। ତେଣୁ ଏହା ଉପରେ ଆମେରିକା ସହ ଆଲୋଚନା କରିବ ଇରାନ | କିନ୍ତୁ ଏ ଆଲୋଚନା ହେବ ଏବଂ କେତେ ସଫଳ ହେବ ତାହା ଇୱାନ ପକ୍ଷରୁ ଜାରି ହୋଇଥିବା ପ୍ରସ୍ତାବର ପ୍ରଥମ ଏବଂ ଦ୍ଵିତୀୟ ପର୍ଯ୍ୟାୟ ଉପରେ ନିର୍ଭର କରେ |

