Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋକିମଙ୍କ ‘ଓଡିଶା ଜନତା କଂଗ୍ରେସ’ଙ୍କୁ ବିଜେପି କରୁଛି କି ସମର୍ଥନ! ଦିଲ୍ଲୀପ ରାୟ ଭେଟିଲେ ମୋକିମଙ୍କୁ

ଭୁବନେଶ୍ୱର, ୨୭ | ୪: ଆଜି ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ଦିଲ୍ଲୀପ ରାୟ କଟକ ଗସ୍ତରେ ଆସି ଓଡ଼ିଶା ଜନତା କଂଗ୍ରେସର ମୁଖିଆ ତଥା ବରିଷ୍ଠ ନେତା ମହମ୍ମଦ ମୋକିମ୍‌ଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। କେବଳ ମୋକିମଙ୍କ ସହିତ ନୁହେଁ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କୁ ମଧ୍ୟ ଦିଲ୍ଲୀପ ରାୟ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସୂଚନାରୁ ଜଣାପଡିଛି ।

ତେବେ ରାଜନୀତିରେ ଆଲୋଚନା ହେବା ସ୍ୱାଭାବିକ କଥା | କିନ୍ତୁ କ୍ଷମତାରେ ଥିବା ବିଜେପି ଦଳର ନେତା କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ନେତାଙ୍କ ସହିତ ସାକ୍ଷାତ କରିବା ରାଜନୀତିର ଆଲୋଚନାକୁ ନୂଆ ଖୋରାକ ଯୋଗାଇଛି | ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦଳ ବିରୁଦ୍ଧରେ ଯାଇ ବିଜେପି ସମର୍ଥନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହୋଇଥିବା ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ | ଯେଉଁଥିପାଇଁ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା | ଏହାପୂର୍ବରୁ ଦଳର ନେତା ମାନଙ୍କ ମଧ୍ୟରେ ଏବଂ ଦଳର ସଭାପତିଙ୍କ ଉପରେ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇ ମହମ୍ମଦ ମୋକିମ ମଧ୍ୟ ଦଳରୁ ବହିସ୍କୃତ ହୋଇଥିଲେ | ଆଉ କିଛି ଦିନ ତଳେ ନିଜେ ଅନ୍ୟ ଦଳରୁ ନିଲମ୍ବିତ ହୋଇଥିବା ନେତା ଏବଂ ନୂଆ କର୍ମୀଙ୍କୁ ନେଇ ଓଡ଼ିଶା ଜନତା କଂଗ୍ରେସ ନାମକ ଏକ ଦଳ ମଧ୍ୟ ତିଆରି କରିଛନ୍ତି | ଆଗକୁ ଆବଶ୍ୟକ ପଡିଲେ ଏହି ଦଳର ମଙ୍ଗ ସୋଫିଆ ଧରି ପାରନ୍ତି ବୋଲି ମଧ୍ୟ ମୋକିମ କହିଛନ୍ତି |

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ଯେ, ଦିଲ୍ଲୀପ ରାୟଙ୍କ ମହମ୍ମଦ ମୋକିମ ଏବଂ ସୋଫିଆଙ୍କ ସହିତ ଭେଟ କେବଳ ଏକ ସାଧାରଣ ଭେଟ ନା ୟା ପଛରେ କୌଣସି ରାଜନୈତିକ କାରଣ ରହିଛି | କାରଣ ଏବେ ଯେଉଁଭଳି ଦଳର ନେତା ମାନଙ୍କ ଅନ୍ୟ ଦଳରେ ମିଶିବାର ଟ୍ରେଡିଂ ଚାଲିଛି ତାହା ଅନ୍ୟ କିଛି କାରଣକୁ ଦର୍ଶାଉଛି | ଦଳରୁ ନିଲମ୍ବିତ ହେବା ପରେ ସୋଫିଆ ଆଉ ବିଜେପିରେ ମିଶିବାକୁ ଚିନ୍ତା କରୁଛନ୍ତିକି? ଏଥିରେ ଦିଲ୍ଲୀପ ରାୟଙ୍କ ସମର୍ଥନ ରହିଛିକି? ଏନେଇ ମଧ୍ୟ ଆଲୋଚନା ହେଉଛି | ଅନ୍ୟପଟେ ଦିଲ୍ଲୀପ ରାୟଙ୍କ ଏହି ଭେଟ ଓଡିଶା ଜନତା କଂଗ୍ରେସକୁ ବିଜେପିର ସମର୍ଥନ ମିଳୁଥିବାକୁ ମଧ୍ୟ ଦର୍ଶାଉଛି | କାରଣ ଏହା ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ସମୟରେ ମୋକିମ ବିଜେପିକୁ ସମର୍ଥନ କରିଥିଲେ | ଆଉ ନିକଟରେ ରାଜ୍ୟସଭା ନିର୍ବାଚନ ସମୟରେ ଝିଅ ସୋଫିଆ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଥିଲେ |

କିନ୍ତୁ ଅନ୍ୟପଟେ, ରାଜ୍ୟସଭା ନିର୍ବାଚନରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇବାକୁ ଆସିଥିବା ଦିଲ୍ଲୀପ ରାୟ କହିଛନ୍ତି । ଏହାସହିତ ଦିଲୀପ ରାୟ ରାଜ୍ୟସଭା ନିର୍ବାଚନରେ ନିଜ ବିଜୟ ପାଇଁ ବିଧାୟିକା ସୋଫିଆ ଏବଂ ମୋକିମଙ୍କୁ ଶ୍ରେୟ ଦେଇଛନ୍ତି | ମୋକିମ୍‌ ଏବଂ ସୋଫିଆଙ୍କୁ ଭେଟିବା ପଛରେ ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନ ଥିବା ଦିଲୀପ ପ୍ରକାଶ କରିଛନ୍ତି। ତେବେ ଆଗକୁ ଏହି ଭେଟ କେଉଁ ଦିଗକୁ ଗତି କରିବ ତାହା ଆଗାମୀ ସମୟରେ ଜଣାପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ