ପଞ୍ଚାୟତ ନିର୍ବାଚନରେ ହେବନି ବିଜେଡି ଓ କଂଗ୍ରେସର ମେଣ୍ଟ: କଂଗ୍ରେସ ପି.ସି.ସି ସଭାପତି ଭକ୍ତ ଦାସ ଓ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କଣ କହିଲେ ଜାଣନ୍ତୁ
ଭୁବନେଶ୍ୱର, ୨୮ | ୪: ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ କଂଗ୍ରେସର ମେଣ୍ଟ ହେବନାହିଁ | ଏନେଇ ନିଜର ସ୍ପଷ୍ଟୀକରଣ ରଖିଛନ୍ତି କଂଗ୍ରେସର ପି.ସି.ସି ସଭାପତି ଭକ୍ତ ଚରଣ ଦାସ | ପଞ୍ଚାୟତ ନିର୍ବାଚନକୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି ଭକ୍ତଦାସ | ଏହାସହିତ ଆଗାମୀ ଦିନରେ କଂଗ୍ରେସ ମେଣ୍ଟ କରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ ଆହୁରି କହିଛନ୍ତିଯେ, ଆମେ ଏକାକୀ ଏହି ନିର୍ବାଚନ ଲଢ଼ିବୁ , ଆମ ଦଳ ଏବେ ବି ସଶକ୍ତ ଅଛି । ଯଦି ବିଧାନସଭା ନିର୍ବାଚନରେ ଆବଶ୍ୟକ ପଡିଲେ ବୁଝାବଣା ହୋଇପାରେ କିନ୍ତୁ ପଞ୍ଚାୟତ ନିର୍ବାଚନରେ କୌଣସି ପରିସ୍ଥିତିରେ ମଧ୍ୟ ମେଣ୍ଟ ହେବନାହିଁ ।
ଅନ୍ୟପଟେ,ପଞ୍ଚାୟତ ନିର୍ବାଚନ ଉପରେ ମେଣ୍ଟ ପ୍ରସଙ୍ଗକୁ ନେଇ ବିଜେଡି ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜା ମନ୍ତବ୍ୟ ଦେଇଛନ୍ତି | ସେ କହିଛନ୍ତିଯେ, ବିଜେଡି ଓ କଂଗ୍ରେସର ମେଣ୍ଟ ହେବା ନେଇ ବିଜୁ ଜନତା ଦଳ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ | ରାଜନୀତିରେ ବେଳେ ବେଳେ ମେଣ୍ଟର ଆବଶ୍ୟକତା ପଡେ କିନ୍ତୁ ବିଜେଡି ଏବେ ବି ରାଜ୍ୟର ସର୍ବ ବୃହତ୍ତ ରାଜନୈତିକ ଦଳ | ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ଉଭା ହେବ ବିଜୁ ଜନତା ଦଳ | ତେବେ ସିଧାସଳଖ ନ କହିଲେ ବି ବିଜୁ ଜନତା ଦଳକୁ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ସହ ମେଣ୍ଟ କରିବା ଆବଶ୍ୟକତା ନଥିବା କଥା କହିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ | ବିଜେଡି ପାଇଁ ଜନମତ ଆଗରୁ କ୍ଷମତାରେ ଥିଲା ବେଳେ ଯେଉଁଭଳି ଥିଲା ଏବେ ବି ସେଭଳି ରହିଛି | ଦଳର କର୍ମୀ ଏବଂ ନେତା ମାନଙ୍କୁ ଏକାଠି କରି ସୁ ସଂଗଠିତ ଭାବେ ବିଜୁ ଜନତା ଦଳ ଆଗାମୀ ପଞ୍ଚାୟତ ନିର୍ବାଚନ ଲଢ଼ିବ ବୋଲି ସେ କହିଛନ୍ତି |
ରାଜ୍ୟସଭା ପରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେଡି ଓ କଂଗ୍ରେସର ମେଣ୍ଟ ହେବ ନେଇ ଆଲୋଚନା ଜୋର ଧରିଥିଲା | ତେବେ ଏବେ ସେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି | ମେଣ୍ଟ ନ ହେବା ନେଇ କଂଗ୍ରେସର ପି.ସି.ସି ସଭାପତି ଭକ୍ତ ଚରଣ ଦାସ ଏବଂ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ନିଜର ସ୍ପଷ୍ଟୀକରଣ ରଖିଛନ୍ତି | ଗୋଟିଏ ପଟେ ବିଜେଡିରୁ ଜିଲ୍ଲା ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ମିଶୁଥିବା ବେଳେ ପଞ୍ଚାୟତ ନିର୍ବାଚନ ବିରୋଧୀ ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ | ସେହିପରି ଦଳ ଭିତରେ ନେତା ମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ବେଳେ ଭକ୍ତଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ସୃଷ୍ଟି କରିବା ସହିତ କଂଗ୍ରେସ ର ଆଗାମୀ ପଞ୍ଚାୟତ ନିର୍ବାଚନରେ କଣ ଆଭିମୁଖ୍ୟ ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି । ଏହା ପୂର୍ବରୁ ପୂର୍ବରୁ ନିଜେ ଭକ୍ତ ଦାସ କହିଥିଲେ ହୁଏତ ମେଣ୍ଟ ହୋଇପାରେ କିନ୍ତୁ ଏବେ ସେ ସିଧାସଳଖ ମେଣ୍ଟ ନ ହେବା ନେଇ ବଡ ବୟାନ ଦେଇଛନ୍ତି |

