ଏଣିକି ମହାକାଶ ଯିବେ ସାଧାରଣ ନାଗରିକ ! ISROର ବଡ଼ ନିଷ୍ପତ୍ତି
ବେଙ୍ଗାଲୁରୁ, ୨୯।୪: ISROର ଗୁରୁତ୍ୱପୂର୍ଣ୍ଣ ଘୋଷଣା! ଗଗନଯାନ ମିଶନକୁ ନେଇ ଇସ୍ରୋର ଐତିହାସିକ ନିଷ୍ପତ୍ତି |ଏପର୍ଯ୍ୟନ୍ତ ମହାକାଶକୁ ଯିବାର ସୁଯୋଗ ମୁଖ୍ୟତଃ ବାୟୁସେନାର ଫାଇଟର ପାଇଲଟମାନଙ୍କ ମଧ୍ୟରେ ସୀମିତ ଥିଲା, କିନ୍ତୁ ଏବେ ISRO ସାଧାରଣ ନାଗରିକଙ୍କ ପାଇଁ ମଧ୍ୟ ଏକ ଆଷ୍ଟ୍ରୋନଟ୍ ହେବାର ଅନୁଭବ ଆଣିଦେବ । ଅର୍ଥାତ୍ ଆଗାମୀ ଦିନରେ କେବଳ ସେନା ପାଇଲଟ୍ ନୁହେଁ, ବୈଜ୍ଞାନିକ, ଇଞ୍ଜିନିୟର ଓ ପ୍ରଯୁକ୍ତି ବିଶେଷଜ୍ଞମାନେ ମଧ୍ୟ ଭାରତ ପକ୍ଷରୁ ମହାକାଶକୁ ଯାଇପାରିବେ।
ISROର ନିଷ୍ପତ୍ତି ଅନୁଯାୟୀ, ଗଗନଯାନର ଆଗାମୀ ବ୍ୟାଚ୍ଗୁଡ଼ିକରେ କେବଳ ବାୟୁସେନା ପାଇଲଟ୍ ନୁହେଁ, STEM (Science, Technology, Engineering, Mathematics) କ୍ଷେତ୍ରର ଦକ୍ଷ ସାଧାରଣ ନାଗରିକଙ୍କୁ ମଧ୍ୟ ସାମିଲ କରାଯିବ। ଏହି ପଦକ୍ଷେପର ଉଦ୍ଦେଶ୍ୟ କେବଳ ମହାକାଶକୁ କେବଳ ଯାତ୍ରା କରିବା ନୁହେଁ, ବରଂ ସେଠାରେ ରହି ଗବେଷଣା, ପରୀକ୍ଷା ଏବଂ ଜଟିଳ ପ୍ରାୟୋଗିକ କାମ ସମ୍ପାଦନ କରିବା ଏବଂ ତାର ନିଷ୍କର୍ଷ ବାହାର କରିବା |
ISROର ପ୍ରସ୍ତାବ ଅନୁସାରେ , ଦ୍ୱିତୀୟ ଆଷ୍ଟ୍ରୋନଟ୍ ବ୍ୟାଚ୍ରେ ୧୦ ଜଣ ରହିବେ। ସେଥିରୁ ୬ ଜଣ ମିଲିଟାରୀ ପାଇଲଟ୍ ଓ ୪ ଜଣ ସାଧାରଣ ନାଗରିକ ବିଶେଷଜ୍ଞ ହେବେ। ସେହିପରି ତୃତୀୟ ବ୍ୟାଚ୍ରେ ଏହାର ସଂଖ୍ୟା ଅଧିକ ରହିବ ଅର୍ଥାତ ସେଠାରେ ୧୨ ଜଣ ମଧ୍ୟରୁ ୧୦ ଜଣ ସିଭିଲିଆନ୍ ଏବଂ କେବଳ ୨ ଜଣ ପାଇଲଟ୍ ରହିବେ। ଏହାର ଅର୍ଥ, ISRO ଏବେ ଭବିଷ୍ୟତର ମହାକାଶ ମିଶନକୁ କେବଳ “ଉଡାଣ” ଭାବେ ନୁହେଁ, ବରଂ “ଅନ୍ତରୀକ୍ଷରେ କାର୍ଯ୍ୟକ୍ଷମ ଉପସ୍ଥିତି” ଭାବେ ଦେଖୁଛି।
ତେବେ ମହାକାଶଚାରୀ ହେବା ସହଜ ନୁହେଁ। ISRO ଅନୁଯାୟୀ, ଜଣେ ପ୍ରାର୍ଥୀଙ୍କୁ ଚୟନ କରିବାରୁ ଆରମ୍ଭ କରି ମିଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ପ୍ରାୟ ୫୪ ମାସ, ଅର୍ଥାତ୍ ସାଢ଼େ ୪ ବର୍ଷ ସମୟ ଲାଗେ। ସେହି କ୍ରମ ଅନୁସାରେ ଦ୍ୱିତୀୟ ବ୍ୟାଚ୍ ୭୨ ମାସରେ ଏବଂ ତୃତୀୟ ବ୍ୟାଚ୍ ୯୬ ମହାକାଶ ଯାତ୍ରା ଲାଗି ପ୍ରସ୍ତୁତ ହେବେ | ଯଦିଓ ସିଭିଲିଆନ୍ ପ୍ରାର୍ଥୀମାନେ ଦ୍ୱିତୀୟ ବ୍ୟାଚ୍ରୁ ପ୍ରଶିକ୍ଷଣ ନେବେ, ସେମାନଙ୍କର ପ୍ରକୃତ ମହାକାଶ ଯାତ୍ରା ଚତୁର୍ଥ ମାନବ ମିଶନରୁ ଆରମ୍ଭ ହେବ।
ISROର ମତ ଅନୁଯାୟୀ, ଯେପର୍ଯ୍ୟନ୍ତ ଭାରତର ମାନବ ମହାକାଶ ପ୍ରଯୁକ୍ତି ପୂର୍ଣ୍ଣ ସୁରକ୍ଷିତ ଏବଂ ପରିପକ୍ୱ ହୋଇ ନାହିଁ , ସେପର୍ଯ୍ୟନ୍ତ ପ୍ରାଥମିକ ମିଶନରେ ଅଭିଜ୍ଞ ମିଲିଟାରୀ ପାଇଲଟମାନଙ୍କୁ ପ୍ରଥମେ ସୁଯୋଗ ଦିଆଯିବ। ପରେ ସୁରକ୍ଷା ସଂପୂର୍ଣ୍ଣ ନିଶ୍ଚିତ ହେଲେ ସିଭିଲିଆନ୍ ବିଶେଷଜ୍ଞମାନେ ମହାକାଶକୁ ଯିବେ।
ISROର ପ୍ରଥମ crewed mission ‘ଗଗନଯାନ’ ୨୦୨୭ ସୁଦ୍ଧା ଲଞ୍ଚ ହେବାକୁ ଯାଉଛି। ଏହି ମିଶନରେ ୩ ଜଣ ମହାକାଶଚାରୀ ପୃଥିବୀରୁ ପ୍ରାୟ ୪୦୦ କି.ମି. ଉଚ୍ଚତାର କକ୍ଷପଥକୁ ଯିବେ।ପ୍ରଥମ ବ୍ୟାଚ୍ ପାଇଁ ବାୟୁସେନାର ଅଭିଜ୍ଞ ଟେଷ୍ଟ ପାଇଲଟ୍ଙ୍କୁ ଚୟନ କରାଯାଇଛି, ଯେଉଁଥିରେ ଅଛନ୍ତି ଏୟାର କମାଣ୍ଡର ପ୍ରଶାନ୍ତ ବି. ନାୟର, ଗ୍ରୁପ୍ କ୍ୟାପଟେନ ଶୁଭାଂଶୁ ଶୁକ୍ଳା, ଗ୍ରୁପ୍ କ୍ୟାପଟେନ ଅଜିତ କୃଷ୍ଣନ, ଗ୍ରୁପ୍ କ୍ୟାପଟେନ ଅଙ୍ଗଦ ପ୍ରତାପ | ISRO ଆଗାମୀ ଦିନରେ ପ୍ରତିବର୍ଷ ଦୁଇଟି ମାନବ ମହାକାଶ ମିଶନ ପଠାଇବାକୁ ଯୋଜନା କରୁଛି। ଏଥିପାଇଁ ପ୍ରାୟ ୪୦ ଜଣ ଦକ୍ଷ ମହାକାଶଚାରୀଙ୍କର ଏକ ସ୍ଥାୟୀ ଦଳ ଗଠନ ହେବ। ଏହା କେବଳ ଗଗନଯାନ ପାଇଁ ନୁହେଁ, ଭବିଷ୍ୟତର ଭାରତୀୟ ସ୍ପେସ୍ ଷ୍ଟେସନ୍, ଦୀର୍ଘମିଆଦି ମାନବ ମହାକାଶ ମିଶନ ଏବଂ ଭାରତର ମହାକାଶ ସ୍ୱାଧୀନତା ପାଇଁ ମୂଳ ଆଧାର ହେବ।
ଇସ୍ରୋର ଏହି ପଦକ୍ଷେପ ନିଶ୍ଚିତ କରୁଛି ଯେ, ଭାରତର ମାନବ ମହାକାଶ କାର୍ଯ୍ୟକ୍ରମ ଏବେ କେବଳ ପ୍ରତୀକାତ୍ମକ ଉଡାଣରେ ସୀମିତ ନୁହେଁ। ଏହା ଧୀରେଧୀରେ ଏକ ସମ୍ପୂର୍ଣ୍ଣ, ସ୍ୱାଧୀନ ଏବଂ ବୈଜ୍ଞାନିକ ମହାକାଶ ପ୍ରଣାଳୀରେ ପରିଣତ ହେଉଛି ।

