ଓଡ଼ିଆ ସିନେମା ଜଗତରେ ଆକାଶ ର ସଂଜ୍ଞା ନାହିଁ ହେଲେ ତାରା ଅନେକ, 90 ବର୍ଷରେ 90 ହଲ ହେଇ ପାରିଲାନି
ଭୁବନେଶ୍ୱର, ୨୯ | ୪: ୯୦ ବର୍ଷରେ ପାଦ ଥାପିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ | ପ୍ରଥମ ଥର ଭାବେ ୧୯୩୬ ମସିହା ଅପ୍ରେଲ ୨୮ରେ ସୀତା ବିବାହରୁ ଆରମ୍ଭ ହୋଇଥିବା ଏହି ସିନେମା ଜଗତ ନିକଟରେ ଓଡ଼ିଆ ଚଳଚ୍ଚିତ୍ର ଦିବସ ପାଳନ କରୁଛି | କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ଗୋଟିଏ ପଟେ ସିନେମା ଜଗତର ୯୦ ବର୍ଷ ପୁରଣର ଉତ୍ସବ ପାଳୁଥିବା ବେଳେ ଅନ୍ୟପଟେ ଆଜି ପର୍ଯ୍ୟନ୍ତ ୯୦ ବର୍ଷ ମଧ୍ୟରେ ୯୦ଟି ସିନେମା ହଲ ତିଆରି ହୋଇ ପାରିଲା ନାହିଁ | ଅବଶ୍ୟ ପୂର୍ବ ଅପେକ୍ଷା ଏବେ ଓଡ଼ିଆ ଚଳଚ୍ଚିତ୍ର ରାଜ୍ୟ ବାହାରେ ନାମ କମେଇଲାଣି ତଥାପି ଓଡ଼ିଆ ଲୋକଙ୍କ ମନରେ ଓଡ଼ିଆ ସିନେମାକୁ ନେଇ ଆଗ୍ରହ ଧୀରେ ଧୀରେ କମିବାରେ ଲାଗିଛି | ସିନେମାର ଟିକେଟର ଦର ଏହାର ଏକ ମୁଖ୍ୟ କାରଣ ହୋଇ ଥାଇ ପାରେ ବୋଲି ମନେ ହେଉଛି | ଏ ବାବଦରେ ସରକାର ମଧ୍ୟ କୌଣସି ପଦକ୍ଷେପ ନେଉ ନାହାନ୍ତି | ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ସଂସ୍ଥା ରହିଛି କିନ୍ତୁ ତା ବିଷୟରେ କାହାକୁ ଜଣା ନାହିଁ କି କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ | ଏ ବାବଦରେ କୌଣସି କଳାକାର ସଂଘ କି ପ୍ରଯୋଜକ କେହି ମୁହଁ ଖୋଲୁ ନାହାନ୍ତି | ଓଡ଼ିଆ ସିନେମା ଜଗତର ଏକମାତ୍ର ସମ୍ପତ୍ତି ଭାବେ କଳିଙ୍ଗ ସ୍ଟୁଡ଼ିଓ ରହିଛି ଯାହା ଦୀର୍ଘ ଦିନରୁ ଅସ୍ତିତ୍ବ ହରାଇ ପଡିଛି | ଅନ୍ୟପଟେ ୨୦୩୬କୁ ଓଡିଶା ରାଜ୍ୟ ଗଠନର ୧୦୦ ବର୍ଷ ପୁରିବ | ଆଉ ୨୦୩୬ ସୁଦ୍ଧା ସରକାର ନୂଆ ଓଡ଼ିଶା କିମ୍ବା ବିକଶିତ ଓଡ଼ିଶାର କଥା କହୁଛନ୍ତି | ସେହିପରି ଆଗାମୀ ୨୦୩୬କୁ ଓଡ଼ିଆ ସିନେମା ଜଗତକୁ ୧୦୦ ବର୍ଷ ପୁରିବ ତେବେ ଏହି ସମୟ ଭିତରେ କଣ ଓଡ଼ିଆ ସିନେମା ଜଗତ କଣ ସମୃଦ୍ଧ ଓଡିଶା ଭଳି ସମୃଦ୍ଧ ଓଡ଼ିଆ ସିନେମା ଜଗତ ହୋଇପାରିବ ତାହା ସବୁଠାରୁ ବଡ ପ୍ରଶ୍ନବାଚୀ?
ସୂଚନା ଅନୁସାରେ, ପୂର୍ବରୁ ଓଡ଼ିଶାରେ ୯୦୦ଟି ସିନେମା ହଲ ରହିଥିଲା | କିନ୍ତୁ ସମୟକ୍ରମେ ପରେ ୧୯୯୯ ମସିହା ପରଠାରୁ ସିନେମା ହଲର ସଂଖ୍ୟା କମିବାରେ ଲାଗିଛି | ପରେ ୨୦୨୦ରେ କରୋନା ମହାମାରୀ ଆସିବା ପରେ ସିନେମା ହଲ ଗୁଡିକ ଧୀରେ ଧୀରେ ବିବାହ ମଣ୍ଡପ ଏବଂ ସପିଙ୍ଗ ମଲ ର ରୂପ ନେଲା | ୨୦୧୯ ମସିହାରେ ତତ୍କାଳୀନ ସରକାର ଓଡ଼ିଆ ସିନେମା ପାଇଁ ‘ ଓଡିଶା ରାଜ୍ୟ ଚଳଚ୍ଚିତ୍ର ନୀତି – ୨୦୧୯’ ଆଣିଥିଲେ ମାତ୍ର ନୀତିଟି ଲାଗୁ ହେବ ପୂର୍ବରୁ ୨୦୨୨ ମାର୍ଚ୍ଚ ୩୧ରେ ତାର ଅବଧି ସରିଗଲା | ଏ ପାର୍ଟି କାହାର ଚିନ୍ତା ନାହିଁ | କଳାକାରଠୁ ପ୍ରଯୋଜକ, ସରକାର ସମସ୍ତେ ଚୁପ | କାରଣ ଶିଳ୍ପ ବିଭାଗ ଅଧୀନରେ ରହିଛି ଓଡ଼ିଆ ସିନେମା | ସଂସ୍କୃତି ବିଭାଗ ପୁରସ୍କାର ଆୟୋଜନ କରେ |
ଏନେଇ ବରିଷ୍ଠ ସିନେ ନିର୍ମାତା ପ୍ରଣବ ଦାସ କହିଛନ୍ତି ଯେ, ଏହା ପୂର୍ବରୁ କିଛି ହେଉଥିଲା ନା, ଏବେ ହେଉଛି । ୯୦ ବର୍ଷରେ ୯୦ ଟି ସିନେମା ହଲ୍ ତିଆରି ହୋଇ ପାରିଲା ନାହିଁ କିନ୍ତୁ ରାଜ୍ୟରେ ୯୦ ଆସୋସିଏସନ୍ ଗଢ଼ା ହୋଇଛି।
ଅନ୍ୟତମ ନିର୍ମାତା ସ୍ଥିତ ପଟ୍ଟନାୟକ କହିଛନ୍ତି ଯେ, ସହେ ଆସୋସିଏସନ୍ ଥିଲେ କଣ ହେବ ଏହାର ଦାୟିତ୍ୱ ପାଇଁ ସରକାର ଜଣେ ମୁରବି ଖୋଜୁଛନ୍ତି। କିନ୍ତୁ ଆମର ମୁରବି ନାହାନ୍ତି । ‘ ଓଏଫ୍ ଡିସିରେ’ ଅଧ୍ୟକ୍ଷ ଭାବେ ସରକାର କାହାକୁ ନିଯୁକ୍ତି ଦେଉ ନାହାନ୍ତି । ଏନେଇ ସରକାରଙ୍କର ମଧ୍ୟ କୌଣସି ଚିନ୍ତା ନାହିଁ କି ଆଗ୍ରହ ବି ନାହିଁ। ୨ ବର୍ଷ ହେବ କଳିଙ୍ଗ ଷ୍ଟୁଡିଓକୁ ଘରୋଇ ସଂସ୍ଥାକୁ ଟେକି ଦିଆଗଲାଣି। ବର୍ଷକୁ ୫୦ଟି ସିନେମାରୁ ୧ କି ୨ଟି ହିଟ୍ ହେଉଛି । ସେପଟେ ପ୍ରଯୋଜକ କହିଛନ୍ତି ଟଙ୍କା ନାହିଁ, ହଲ ଓ ସବସିଡି ମିଳୁନି। ଖାଲି ସୋସିଆଲ ମିଡିଆରେ ସବୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ପ୍ରକୃତରେ ଓଡ଼ିଆ ସିନେମା ଜଗତ ପାଇଁ କାହାର ଚିନ୍ତା ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି |
ତେବେ ବର୍ତ୍ତମାନ ଓଡ଼ିଶାରେ ସମୁଦାୟ ୫୪ଟି ସିନେମା ହଲ ରହିଛି | ଏତିକି କମ ସଂଖ୍ୟାରେ ହଲ ଥିବା କାରଣରୁ ଯଦି ଅନ୍ୟ କେଉଁ ଭାଷା ଭାଷୀର ସିନେମା ରିଲିଜ ହୁଏ ତେବେ ଓଡ଼ିଆ ସିନେମାକୁ ହଲରୁ କଢ଼ା ହୋଇ ଯାଏ | ତେବେ ଯେଉଁ ଜିଲ୍ଲାରେ ସିନେମା ଜଗତର ମୂଳ ଦୁଆ ପଡିଥିଲା ସେହି ପୁରୀ ଜିଲ୍ଲାରେ ଗୋଟିଏ ସୁଦ୍ଧା ହଲ ନାହିଁ | ଏହା ମଧ୍ୟରେ କିଛି ଜିଲ୍ଲାରେ ବଡ କମ୍ପାନୀ ଆସି ଲିଜ ସୂତ୍ରରେ ହଲ ଖୋଜୁଛନ୍ତି | ତେବେ ଏତେ ସବୁ ମଧ୍ୟରେ ଓଡ଼ିଆ ସିନେମା ଜଗତ କେଉଁ ଦିଗକୁ ଗତି କରିବା ତାହା ଆଗାମୀ ସମୟ କହିବ |

