Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମବଙ୍ଗ ରାଜନୀତି ସରଗରମ ; ମୁଁ ହାରିନି, ଇସ୍ତଫା ଦେବାର ପ୍ରଶ୍ନ ଉଠୁନି: ମମତା ବାନାର୍ଜୀ

ପଶ୍ଚିମବଙ୍ଗ,୬।୫:ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ରାଜନୀତି ଏକ ଭିନ୍ନ ମୋଡ଼ ନେଇଛି । ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ମମତା ବାନାର୍ଜୀଙ୍କ ବୟାନ ଆସିବା ପରେ ରାଜନୀତି ସରଗରମ ହୋଇଛି। ଭବାନୀପୁର ଆସନରୁ ତାଙ୍କର ପ୍ରତିଦ୍ୱନ୍ଦୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାଜିତ ହେବା ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେନାହିଁ ବୋଲି ମନା କରିଛନ୍ତି । ‘ମୁଁ ହାରିନାହୁଁ ବରଂ ଆମକୁ ହରାଇ ଦିଆଯାଇଛି’ ବୋଲି କହି   ନିର୍ବାଚନ କମିଶନ ଓ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି ।

ପଶ୍ଚିମବଙ୍ଗରେ ଲଗାତାର ୩ ପାଳି କ୍ଷମତାରେ ରହିବା ପରେ ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଇସ୍ତଫା ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ଅନ୍ୟପଟେ, ମେ ୯ ତାରିଖରେ ବିଶ୍ବକବି ରବିନ୍ଦ୍ରନାଥ ଟାଗୋରଙ୍କ  ଜୟନ୍ତୀ  ଅବସରରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ। କିନ୍ତୁ ଏ ସବୁ ମଧ୍ୟରେ ମମତାଙ୍କ ବୟାନ ଏବେ ଅଡୁଆ ସୃଷ୍ଟି କରିଛି । ମମତା ଦାବି କରିଛନ୍ତି ଯେ, ନିର୍ବାଚନ ନିରପେକ୍ଷ ଭାବେ ପରିଚାଳନା କରାଯାଇନି। ନିର୍ବାଚନକୁ ବଳପୂର୍ବକ କବ୍‌ଜା କରିବା ପାଇଁ ବିଜେପି ଅନୁଚିତ ହସ୍ତ‌କ୍ଷେପ କରିଛି ଏବଂ କେନ୍ଦ୍ରୀୟ ବାହିନୀ ବ୍ୟବହାର କରିଛି।

ମମତାଙ୍କ କହିବା ଅନୁସାରେ ତାଙ୍କ ଦଳ ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ କରିବ ଏବଂ ରାଜନୈତିକ ଲଢ଼େଇ ଜାରି ରଖିବ। ସେ କହିଛନ୍ତି, ଆମେ ଜନାଦେଶ ଦ୍ବାରା ହାରିନାହୁଁ, ବରଂ ଷଡ଼୍‌ଯନ୍ତ୍ରର ଶିକାର ହୋଇ ହାରିଛୁ। ଆମେ ବାଘ ପରି ଲଢ଼ିଛୁ ଏବଂ ପୁଣିଥ‌ରେ ଫେରିବୁ। ତେବେ ତାଙ୍କ ଦଳର ଲଢ଼େଇ କେବଳ ବିଜେପି ସହ ନଥିଲା, ନିର୍ବାଚନ କମିସନ ମଧ୍ୟ ଥିଲେ ତାଙ୍କର ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ। ଆମେ ଇସିଙ୍କ ବିରୋଧରେ ଲଢ଼ିବୁ, କିନ୍ତୁ ରଣନୀତି ଏବେ ଗୁପ୍ତ ରହିବ। ସେ ଆହୁରି କହିଥିଲେ ଯେ, ମୁଖ୍ୟ ନିର୍ବାଚନ କମିସନର ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେବା ପାଇଁ ଏବଂ ଇଭିଏମ୍‌ ଲୁଟ୍‌ କରିବା ପାଇଁ ଚଳିତ ନିର୍ବାଚନରେ ଖଳନାୟକ ପାଲଟିଥିଲେ। ଇଭିଏମ୍‌ରେ ଭୋଟ୍‌ ଦେବା ପରେ ୮୦-୯୦ ପ୍ରତିଶତ ଚାର୍ଜ ରହିଲା କିପରି? ନିର୍ବାଚନର ୨ ଦିନ ପୂର୍ବରୁ ସେମାନେ ଆମ ଲୋକଙ୍କୁ ଗିରଫ କଲେ। ସମସ୍ତ ଆଇପିଏସ୍‌ ଓ ଆଇଏଏସ୍‌ ଅଫିସରଙ୍କୁ ବଦଳି କଲେ। ଏ ସବୁ କାରନାମାରେ ଗୃହମନ୍ତ୍ରୀ ଅମିତ ଶାହ ଏବଂ ନରେନ୍ଦ୍ର ମୋଦୀ ସାମିଲ ରହିଛନ୍ତି । ଏଭଳି ଏକାଧିକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିର୍ଵାଚନ କମିଶନ ଏବଂ ବିଜେପି ନାଁ ରେ ମମତା ବାନାର୍ଜୀ।

ସେ ଆହୁରି କହିଛନ୍ତିଯେ, ତାଙ୍କୁ ମତଦାନ କେନ୍ଦ୍ରରେ ମାଡ଼ ମରାଯାଇଥିଲା । ସେହି ସମୟରେ ସିସିଟିଭି କ୍ୟାମେରା ବନ୍ଦ ଥିଲା ଏବଂ ତାଙ୍କୁ ଗଣତି କେନ୍ଦ୍ରରୁ ଠେଲି ବାହାର ମଧ୍ୟ କରାଯାଇ ଥିଲା ବୋଲି ପ୍ରେସ ମିଟରେ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ