ଜନଗଣନା କାର୍ଯ୍ୟରେ ଶିକ୍ଷକଙ୍କୁ ଅଟକାଇଲେ ହେବ କଡା କାର୍ଯ୍ୟାନୁଷ୍ଠାନ; ସ୍କୁଲ ଓ ଗଣଶିକ୍ଷା ବିଭାଗର କଡ଼ା ଚେତାବନୀ,
ଭୁବନେଶ୍ୱର, ୬|୫ : ଜନଗଣନା କାମରେ ଶିକ୍ଷକଙ୍କୁ ଅଟକାଇଲେ କିମ୍ବା ବାଧା ସୃଷ୍ଟି କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କଡା ଚେତାବନୀ ଦିଆଯାଇଛି | ଜନଗଣନା ୨୦୨୭ କାର୍ଯ୍ୟରେ ଶିକ୍ଷକ ଓ ସ୍କୁଲ କର୍ମଚାରୀଙ୍କ ସାମିଲ ଅନିର୍ବାଯ୍ୟ | କେତେକ ବେସରକାରୀ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷକଙ୍କୁ ଜନଗଣକାରୀ ଓ ସୁପରଭାଇଜର ଭାବେ କାମ କରିବାରେ ରିଲିଜ୍ କରୁନଥିବା ନଜରକୁ ଆସିଛି। ଏହାପରେ ବିଭାଗ ଆସିଛି ଆକ୍ସନ ମୋଡ଼ ରେ | ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ‘ସେନସସ୍ ଆକ୍ଟ-୧୯୪୮’ ଅନୁଯାୟୀ, ଜନଗଣନା କାର୍ଯ୍ୟ ସମ୍ପୂର୍ଣ୍ଣ ବାଧ୍ୟତାମୂଳକ। ତେଣୁ ଏହି ଜାତୀୟ କାର୍ଯ୍ୟରେ ନିଯୁକ୍ତ ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ତୁରନ୍ତ ରିଲିଭ୍ କରିବାକୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ।
ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସରକାରୀ ଓ ବେସରକାରୀ ସ୍କୁଲକୁ ତୁରନ୍ତ ନିର୍ଦ୍ଦେଶ ଜାରି କରିବାକୁ କୁହାଯାଇଛି । ତେଣୁ ଜନଗଣନା କାମରୁ ଶିକ୍ଷକଙ୍କୁ ବଞ୍ଚିତ କରାଯିବ ନାହିଁ । ଯଦି କୌଣସି ସ୍କୁଲ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶକୁ ନ ମାନନ୍ତି କିମ୍ବା ଶିକ୍ଷକଙ୍କୁ ଛାଡ଼ିବାରେ ଅବହେଳା କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ମିଳିଛି |
ନିର୍ଦ୍ଦେଶ ଅମାନ୍ୟ କିମ୍ବା ଅବହେଳା କରିଲେ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

