ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ ଥାଲାପଥୀ
ତାମିଲନାଡୁ, ୧୦।୫: ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ଥାଲାପଥୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ବିଜୟଙ୍କୁ ଶପଥ ପାଠ କରାଇଛନ୍ତି। ଅନ୍ୟ ନଅ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଶପଥ ଗ୍ରହଣ ଉତ୍ସବ ବିଶାଳ ସମାରୋର ଆୟୋଜନ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦେଶର ଅନେକ ପ୍ରମୁଖ ନେତା ଉପସ୍ଥିତ ରହିଥିଲେ। ଏହି ଉତ୍ସବରେ ତାଙ୍କ ସମ୍ପୂର୍ଣ୍ଣ ପରିବାର ଯୋଗ ଦେଇଥିଲେ। ଏହା ସହିତ, ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ, ତାମିଲନାଡୁ ବିଧାନସଭା ୨୦୨୬ ନିର୍ଵାଚନରେ ବିଜୟୀ ହୋଇଥିବା ବିଜୟଙ୍କୁ ୧୩ ମଇ, ୨୦୨୬ କିମ୍ବା ତା’ପୂର୍ବରୁ ବିଧାନସଭାରେ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଥିଲେ। ତା ପୂର୍ବରୁ, ବିଜୟ ଲଗାତାର ତିନି ଥର ରାଜ୍ୟପାଳଙ୍କୁ ଭେଟିଥିଲେ କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ୧୧୮ ବିଧାୟକଙ୍କ ସମର୍ଥନ ହାସଲ କରିବାରେ ବିଫଳ ହୋଇଥିଲେ। ବହୁମତ ଅଭାବରୁ, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରିନଥିଲେ। ପରେ ଟିଭିକେର ୧୦୭ ବିଧାୟକ, କଂଗ୍ରେସର ୫ ଜଣ, ବାମ ଦଳରୁ ୪ ଜଣ ଏବଂ ଭିସିକେ ଏବଂ ଆଇୟୁଏମଏଲର ପ୍ରତ୍ୟେକ ୨ ଜଣ ବିଧାୟକଙ୍କ ସମର୍ଥନ ସହିତ, ବିଜୟଙ୍କ ପାଖରେ ଏବେ ୧୨୦ ଜଣ ବିଧାୟକଙ୍କ ସମର୍ଥନ ଅଛି, ଯାହା ସଂଖ୍ୟାଗରିଷ୍ଠତା ସଂଖ୍ୟାଠାରୁ ଅଧିକ ରହିଛି।

