ବାଲିଅନ୍ତା ହତ୍ୟା ଘଟଣାରେ ସରକାରଙ୍କ ବଡ଼ ପଦକ୍ଷେପ : ବଦଳିଲେ ଆଇଆଇସି, ୪ ପୁଲିସ୍ ସସ୍ପେଣ୍ଡ୍
ଭୁବନେଶ୍ବର, ୧୦। ୫: ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଏହି ଉତ୍ତ୍ୟକ୍ତ ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସୂଚନା ଅନୁସାରେ, ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ାଙ୍କୁ ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହା ବଦଳରେ ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନାର ଦାୟିତ୍ବ ଦିଆଯାଇଛି।
ସେହିପରି ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ୍ ଙ୍କୁ ମଧ୍ୟ ନିଲମ୍ବନ କରାଯାଇଛି। ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାର ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ଯମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ , କ୍ରାଇମବ୍ରାଞ୍ଚ ଟିମ୍ , ଏସପି ଅନିରୁଦ୍ଧ ରାଉତରାୟଙ୍କ ସହ ମହିଳା ଡିଏସପି ବାଲିଅନ୍ତା ଥାନାରେ ପହଞ୍ଚିଥିଲେ। ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ ହୋଇଛି। ଗୋଟିଏ ଟିମ୍ ଥାନାରେ ପହଞ୍ଚି ଥାନା ଅଧିକାରୀଙ୍କଠାରୁ ତଥ୍ୟ ନେଉଥିବାବେଳେ ଦ୍ବିତୀୟ ଟିମଟି କ୍ରାଇମ୍ ସ୍ପଟରେ ପହଞ୍ଚି ଯାଞ୍ଚ କରୁଥିବା ଜଣାପଡ଼ିଛି।

