Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବ ୨୦୨୬ରେ ସୌମ୍ୟ ଜ୍ୟୋତି ପ୍ରତିହାରୀଙ୍କ ଡକ୍ୟୁମେଣ୍ଟାରୀ ଫିଲ୍ମ ‘ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି’କୁ ଶ୍ରେଷ୍ଠ LGBTQIA+ର ମାନ୍ୟତା

ନୂଆଦିଲ୍ଲୀ, ୧୧ | ୫ : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସୌମ୍ୟ ଜ୍ୟୋତି ପ୍ରତିହାରୀ ତାଙ୍କ ଡକ୍ୟୁମେଣ୍ଟାରୀ ‘ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି’ ରେ ଓଡ଼ିଆ କାହାଣୀ ପ୍ରତି ବିଶ୍ୱ ସ୍ତରରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ LGBTQIA+ ଚଳଚ୍ଚିତ୍ର ଭାବେ ‘ଟଙ୍ଗସ୍ ଅନ୍ ଫାୟାର ଫ୍ଲେମ୍’ ପୁରସ୍କାର ଜିତିଛି। ମେ ୬ ତାରିଖରେ ଲଣ୍ଡନର ରିଭରସାଇଡ୍ ଷ୍ଟୁଡିଓରେ ଚଳଚ୍ଚିତ୍ରଟିର ବିଶ୍ୱ ପ୍ରିମିୟର ହେବାର କିଛି ସମୟ ପରେ ହିଁ ଶ୍ରେଷ୍ଠ LGBTQIA+ ଚଳଚ୍ଚିତ୍ର ଭାବେ ପାଇଛି ମାନ୍ୟତା ।

ଏହି ଫିଲ୍ମଟି ପ୍ରଫୁଲ୍ଲ ମହାନ୍ତିଙ୍କ ଜୀବନ ଉପରେ ଆଧାରିତ ହୋଇଛି | ୯୧ ବର୍ଷୀୟ ଓଡ଼ିଆ କଳାକାର, ଲେଖକ ତଥା ସାଂସ୍କୃତିକ ଚିନ୍ତକ କିପରି ଭାବେ ବର୍ଷ ବର୍ଷ ଧରି ପରିଚୟ, ପ୍ରବାସୀ , ଆଧ୍ୟାତ୍ମିକତା ଏବଂ ମାନବ ସମ୍ପର୍କ ଉପରେ ଅନୁସନ୍ଧାନ କରି ଆସୁଥିଲେ ତାହା ଏ ଚଳଚ୍ଚିତ୍ରରେ ଦର୍ଶାଯାଇଛି | ଏହି ଡକ୍ୟୁମେଣ୍ଟାରୀରେ ତାଙ୍କର ଜୀବନର କଳା ପ୍ରତି ଆଗ୍ରହ ଏବଂ ଯାତ୍ରା ବିଷୟରେ ଦର୍ଶାଯାଇଛି | ସେ କିପରି ଓଡ଼ିଶାର ଏକ ଛୋଟ ଗାଁରୁ ମୁମ୍ବାଇର ଜେଜେ ସ୍କୁଲ ଅଫ୍ ଆର୍ଟକୁ ଗଲେ, ଶେଷରେ ଇଂଲଣ୍ଡର ଜଣେ ସ୍ଥପତି ଏବଂ ନଗର ଯୋଜନାକାରୀ ହେଲେ ତାହା ଏଥିରେ ଅତି ସରଳ ଭାବେ ଦର୍ଶାଯାଇଛି । ଏଥିରେ ସେ ନିଜକୁ କିପରି ଚିତ୍ରକଳା ଏବଂ ସାହିତ୍ୟ ପାଇଁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିଥିଲେ ତାହା ମଧ୍ୟ ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି |

ଲଣ୍ଡନ ବିଶ୍ୱବିଦ୍ୟାଳୟର ଗୋଲ୍ଡସ୍ମିଥସର ପୂର୍ବତନ ଛାତ୍ର ସୌମ୍ୟ ପ୍ରାୟ ପାଞ୍ଚ ବର୍ଷ ଧରି ପ୍ରଫୁଲ୍ଲ ମହାନ୍ତିଙ୍କ ସହ ଘନିଷ୍ଠ ଭାବରେ କାମ କରିଥିଲେ। ଏହି ଘନିଷ୍ଠ ସମ୍ପର୍କ ଡକ୍ୟୁମେଣ୍ଟାରୀକୁ ଅଧିକ ଜୀବନ୍ତ କରିଛି | କାରଣ ପାଞ୍ଚ ବର୍ଷରେ ପ୍ରଫୁଲ ମହାନ୍ତିଙ୍କ ସରଳ ଜୀବନର ପ୍ରତି ସମୟକୁ ଅତି ନିକଟତରୁ ଦେଖିଛନ୍ତି ସୌମ୍ୟ |

ଏହି ଐତିହାସିକ ସଫଳତା ଉପରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସୌମ୍ୟ ଜ୍ୟୋତି ପ୍ରତିହାରୀ କୁହନ୍ତି, “ମୁଁ ବହୁତ ଖୁସି ଯେ, ଓଡ଼ିଆ ପେଣ୍ଟର ପ୍ରଫୁଲ୍ଲ ମହାନ୍ତିଙ୍କ ଉପରେ ଆଧାରିତ ମୋର ଫିଲ୍ମ ‘ଶୂନ୍ୟ: ବିଇଂ ପ୍ରଫୁଲ୍ଲ ମହାନ୍ତି’ UK Asian Film Festival ରେ ଶ୍ରେଷ୍ଠ LGBTQIA+ ଆୱାର୍ଡ ପାଇଲା | ମୁଁ ଲଣ୍ଡନ ଆସିବା ପୂର୍ବରୁ ପ୍ରଫୁଲ୍ଲ ମହାନ୍ତିଙ୍କ ବିଷୟରେ କିଛି ବି ଜାଣି ନ ଥିଲି, ଜଣେ ଓଡ଼ିଆ ପେଣ୍ଟର ଲଣ୍ଡନରେ ଏତେ ବଡ ନାଁ କରିଛନ୍ତି ବୋଲି ମୋତେ ଜଣା ନଥିଲା | ତାଙ୍କର ଗୋଟେ ଗୋଟେ ପୈଁଟିଙ୍ଗ ୪୦ ରୁ ୫୦ ଲକ୍ଷରେ ବିକ୍ରି ହୁଏ | ମୁଁ ଏଠି ୟୁନିଭର୍ସିଟି ଅଫ ଲଣ୍ଡନରେ ମାଷ୍ଟର ଡ଼ିଗ୍ରୀ କଲା ବେଳେ ତାଙ୍କ ଘରେ ରହିବାର ମୋତେ ସୁଯୋଗ ମିଳିଥିଲା ଓ ତାଙ୍କ ବିଷୟରେ ଏହି ଫିଲ୍ମ ତିଆରି କରିବା ପାଇଁ ମୋତେ ପୁରା ୫ ବର୍ଷ ଲାଗିଥିଲା | ଏହି ଚଳଚ୍ଚିତ୍ରକୁ ଶ୍ରେଷ୍ଠ ଶ୍ରେଷ୍ଠ LGBTQIA+ ପୁରସ୍କାର ମିଳିବା ପରେ ମୁଁ ଆଶା କରୁଛି ଯେ, ଖୁବ ଶୀଘ୍ର ଏହି ଫିଲ୍ମ ଓଡ଼ିଆ ଦର୍ଶକଙ୍କ ପାଖରେ ମଧ୍ୟ ପହଞ୍ଚିବ |”

ପ୍ରଦୀପ୍ତା ଦାସଙ୍କ ଦ୍ୱାରା ନିର୍ମିତ, ଏହି ଡକ୍ୟୁମେଣ୍ଟାରୀଟି ପ୍ରଫୁଲ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନକୁ ପ୍ରତିଫଳନ କରିଛି | ୟୁକେ ଏସୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହାକୁ ମାନ୍ୟତା ମିଳିବା କେବଳ ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ଗୌରବର ମୁହୂର୍ତ୍ତ ନୁହେଁ ବରଂ ବିଶ୍ୱ ଦର୍ଶକ ଖୋଜୁଥିବା ଆଞ୍ଚଳିକ ଭାରତୀୟ କାହାଣୀ ପାଇଁ ମଧ୍ୟ ଏହା ଏକ ଖୁସି ଏବଂ ଗୌରବର ମୁହୂର୍ତ୍ତ ଅଟେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories