ମାଧୋ ସିଂଙ୍କ ଉପରେ ତ୍ରୁଟି ପୂର୍ଣ୍ଣ ଲେଖାର ସଂଶୋଧନ ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କଲେ ପଦ୍ମଶ୍ରୀ ହଳଧର ନାଗ
ଭୁବନେଶ୍ୱର, ୧୨ | ୫ : ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକର ପରିବର୍ତ୍ତନ କରିଛନ୍ତି | କିନ୍ତୁ ଏଥିରେ ଅନେକ ତ୍ରୁଟି ଥିବା ନେଇ ଦର୍ଶାଇଛନ୍ତି ଲୋକରତ୍ନ କବି ଡକ୍ଟର ହଳଧର ନାଗ | ପ୍ରକାଶିତ ହୋଇଥିବା ନୂତନ ସାହିତ୍ୟ ପୁସ୍ତକ ସାହିତ୍ୟ ସୁମନରେ ଅନେକ ତ୍ରୁଟି ରହିଥିବା ନେଇ ପଦ୍ମଶ୍ରୀ ହଳଧର ନାଗ ଅଭିଯୋଗ ଆଣିଛନ୍ତି | ସେ କହିଛନ୍ତିଯେ, ଲେଖକ ବୀରେନ୍ଦ୍ର ମହାନ୍ତିଙ୍କ ଦ୍ୱାରା ରଚିତ ହୋଇଥିବା ସହିଦ ମାଧୋ ସିଂ କାହାଣୀ ବିଷୟରେ ଅନେକ ତ୍ରୁଟି ରହିଛି | ପୁସ୍ତକରେ ମାଧୋ ସିଂଙ୍କୁ ଫାଶୀ ଦିଆଯିବା ତାରିଖ, ଘେଁସ ଗ୍ରାମର ଅବସ୍ଥିତି, ସିଂଘଡା ଘାଟି ବିଷୟରେ ଲେଖକଙ୍କୁ କିଛି ଜଣା ନ ଥିବା ନେଇ ଅଭିଯୋଗ କରିଛନ୍ତି ହଳଧର ନାଗ |
ତାଙ୍କ କହିବା ଅନୁସାରେ, ମାଧୋ ସିଂ ନିଶା ଘାଟିରୁ ସିଙ୍ଗଡ଼ା ଘାଟିକୁ ଯାଉଥିଲେ ବୋଲି ପୁସ୍ତକରେ ଲେଖା ହୋଇ ଅଛି କିନ୍ତୁ ନିଶା ଘାଟି ଆଉ ସିଙ୍ଗଡ଼ା ଘାଟି ହେଉଛି ପ୍ରକୃତରେ ଗୋଟିଏ ଘାଟି | ହଳଧର ନାଗଙ୍କ ମତରେ ନିଶା ଘାଟି ଆଉ ସିଙ୍ଗଡ଼ା ଘାଟି ଗୋଟିଏ ଘାଟି ଅଲଗା ଅଲଗା ନୁହେଁ | ଯେହେତୁ ଦିନ ବେଳା ଏହି ଘାଟି ଅନ୍ଧାର ଦେଖାଯାଉଥିଲା ତାହାର ନାମକରଣ ନିଶା ଘାଟି ରହିଥିଲା | ପରେ ସିଙ୍ଗଡ଼ା ବସ୍ତି ଗଢି ଉଠିଥିବାରୁ ତାର ନାମ ସିଙ୍ଗଡ଼ା ଘାଟି ନାମରେ ନାମିତ ହେଲା | ସେହି ସ୍ଥାନରେ ମାଧୋ ସିଂଙ୍କ ନେତୃତ୍ୱରେ ତାଙ୍କର ସୈନ୍ୟ ଗଣ ବ୍ରିଟିଶଙ୍କ ବିରୁଦ୍ଧରେ ବିଦ୍ରୋହ କରୁଥିଲେ |
ପାଠ୍ୟପୁସ୍ତକରେ ଆହୁରି ମଧ୍ୟ ଲେଖା ହୋଇଅଛି ଯେ, ମାଧୋ ସିଂ ପାଇକମାଲ ନିକଟସ୍ଥ ଘେଁସ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ | କିନ୍ତୁ ହଳଧର ନାଗ ଏହାକୁ ନେଇ କହଛନ୍ତିଯେ, ପାଇକମାଲ ଘେଁସ ଗ୍ରାମରୁ ୮୦ କିଲୋମିଟର ଦୂର ଯେଉଁଠି ନୃସଂଘ ନାଥ ମନ୍ଦିର ଅବସ୍ଥିତ ଅଛି |
ଶ୍ରୀ ନାଗ ଦର୍ଶାଇଛନ୍ତି ଯେ, ପାଠ୍ୟପୁସ୍ତକରେ ଲେଖକ ମାଧୋ ସିଂଙ୍କୁ ୧୮୫୮ ମସିହା ଡିସେମ୍ବର ୨୨ରେ ସମ୍ବଲପୁର କାରାଗାରରେ ଫାଶୀ ଦିଆଯାଇଥିବାର ଉଲ୍ଲେଖ କରାଯାଇଛି | କିନ୍ତୁ ଇତିହାସର ତଥ୍ୟ ଅନୁସାରେ ଏହି ବୀର ନେତାଙ୍କୁ ୭୨ ବର୍ଷ ବୟସରେ ସମ୍ବଲପୁର ଜେଲରେ ଡିସେମ୍ବର ୩୧, ୧୮୫୮ ରେ ଫାଶୀ ଦିଆଯାଇଥିଲା। ଶ୍ରୀ ନାଗ କହିଛନ୍ତିଯେ “ଆମେ ପ୍ରତିବର୍ଷ ଡିସେମ୍ବର ୩୧ କୁ ବୀରତା ଦିବସ ଭାବରେ ପାଳନ କରୁ, ତେଣୁ ପୁସ୍ତକରେ କିପରି ଅଲଗା ଅଲଗା ତାରିଖକୁ ଉଲ୍ଲେଖ କରାଯାଇପାରିବ?” ସେ ଶିକ୍ଷା ବିଭାଗ ଏବଂ ଲେଖକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି |
ଶ୍ରୀ ନାଗ କହଛନ୍ତିଯେ, ଇତିହାସର ସମ୍ପୂର୍ଣ୍ଣ ତଥ୍ୟ ଭଲଭାବେ ନ ଜାଣି ତାକୁ ବିକୃତ କରିବା ଉଚିତ ନୁହେଁ ଏବଂ ବୋର୍ଡ ମଧ୍ୟ ଅନ୍ଧ ଭଳି ପୁସ୍ତକକୁ ଛାପିବା ଉଚିତ ନୁହେଁ | ଯଥାଶୀଘ୍ର ଏହି ତ୍ରୁଟି ସବୁକୁ ସଂଶୋଧନ କରିବାକୁ ଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ |

