Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ନିର୍ବାଚନ ହେଲେ ସଫା ହୋଇଯିବ ବିଜେପି-ସିନ୍ଦେ ସରକାର, MVAକୁ ମିଳିବ ୮% ଅଧିକ ଭୋଟ୍

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତା ବର୍ଷ ଲୋକସଭା ସହିତ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ସକାଲ ମିଡିଆ ଗ୍ରୁପ ଏନଡିଏ ସରକାର ପ୍ରତି ଜନତାଙ୍କ ମୁଡ ପରଖିବା ପାଇଁ ଏକ ସର୍ଭେ କରିଛି। ସର୍ଭେରେ ଏହା ଜାଣିବାକୁ ଚେଷ୍ଟା କରାଯାଇଛି ଯେ, ମହାରାଷ୍ଟ୍ରର ମତଦାତା ସାଂପ୍ରତିକ ଘଟଣାକ୍ରମ ବିଷୟରେ କଣ ଭାବୁଛନ୍ତି। ସର୍ଭେରେ ଏହା ମଧ୍ୟ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ୨୦୨୪ ନିର୍ବାଚନରେ କେଉଁ ପାର୍ଟିକୁ ଭୋଟ୍ ଦେବେ ? ତେବେ ସର୍ଭେରୁ ଜଣା ପଡିଛି ଯେ, ବର୍ତ୍ତମାନ ନିର୍ବାଚନ ହେଲେ ଏକନାଥ ସିନ୍ଦେ ଏବଂ ବିଜେପି ସରକାର କ୍ଷମତାଚ୍ୟୁତ ହେବାର ସମ୍ଭାବନା ରହିଛି।

ବିଜେପି ସବୁଠୁ ବଡ଼ ପାର୍ଟି
ସର୍ଭେ ଅନୁଯାୟୀ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ବଡ଼ ଝଟକା ଲାଗିପାରେ। ହେଲେ ସବୁଠୁ ଅଧିକ ଫାଇଦା ବିଜେପିକୁ ମିଳୁଥିବା ଦେଖିବାକୁ ମିଳିଛି। ସର୍ଭେ ଅନୁଯାୟୀ, ଯଦି ବର୍ତ୍ତମାନ ନିର୍ବାଚନ ହୁଏ ତେବେ ବିଜେପି ରାଜ୍ୟରେ ଏକ ନମ୍ବର ଦଳ ହୋଇ ପାରେ ଏବଂ ପାର୍ଟିକୁ ୩୩.୮ ପ୍ରତିଶତ ଭୋଟ୍ ମିଳିପାରେ। ଏକନାଥ ସିନ୍ଦେଙ୍କ ଶିବସେନାକୁ ମାତ୍ର ୫.୩ ପ୍ରତିଶତ ଭୋଟ୍ ମିଳିପାରେ। ଏହିପରି ପୂରା ଏନଡିଏକୁ କେବଳ ୩୯.୩ ପ୍ରତିଶତ ଭୋଟ୍ ମିଳିପାରେ।

ଏମଭିଏରେ ସବୁଠୁ ଅଧିକ ଭୋଟ୍ କଂଗ୍ରେସକୁ
ସର୍ଭେରେ ଏହା ମଧ୍ୟ ଜଣା ପଡ଼ିଛି ଯେ, ମହାବିକାଶ ଅଘାଡ଼ି ମେଣ୍ଟକୁ ସବୁଠୁ ଅଧିକ ୪୭.୭ ପ୍ରତିଶତ ଭୋଟ୍ ମିଳିପାରେ। ମେଣ୍ଟରେ କଂଗ୍ରେସକୁ ସର୍ବାଧିକ ୧୯.୯ ପ୍ରତିଶତ, ଏନସିପିକୁ ୧୫.୩ ପ୍ରତିଶତ ଏବଂ ଉଦ୍ଧବ ଠାକରେଙ୍କ ଗୋଷ୍ଠୀକୁ ୧୨.୫ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବହୁଜନ ବଞ୍ଚିତ ଅଘାଡ଼ିକୁ ୨.୯ ପ୍ରତିଶତ, ସ୍ଵାଭିମାନୀ ଶେତକାରୀ ପକ୍ଷକୁ ୦.୭ ପ୍ରତିଶତ, ଓଓ୍ଵେସିଙ୍କ ପାର୍ଟିକୁ ୦.୬ ପ୍ରତିଶତ ଏବଂ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିକୁ ୦.୫ ପ୍ରତିଶତ ଏବଂ ଅନ୍ୟକୁ ୧.୭ ପ୍ରତିଶତ ଭୋଟ୍ ମିଳିବ ପୂର୍ବାନୁମାନ କରାଯାଇଛି।

ବିପଦରେ ଏକନାଥ ସିନ୍ଦେ
ଉଲ୍ଲେଖନୀୟ ଏକନାଥ ସିନ୍ଦେ ଗତ ବର୍ଷ ଶିବସେନାରେ ଅଦ୍ଭୁତପୂର୍ବ ବିଦ୍ରୋହ କରି ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ମହା ବିକାଶ ଅଘାଡ଼ି ସରକାରର ପତନ କରାଇଥିଲେ। ଏହା ପରେ ବିଜେପି ସହ ମିଶି ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ପଦ ହାସଲ କରିଥିଲେ। ଏପରିକି ସିନ୍ଦେ ଗୋଷ୍ଠୀକୁ ଶିବସେନା ପାର୍ଟି ଏବଂ ପାର୍ଟିର ଚିହ୍ନ ମଧ୍ୟ ମିଳିଥିଲା। ହେଲେ ସଦ୍ୟତମ ସର୍ଭେ ଏକନାଥ ସିନ୍ଦେଙ୍କ ପାଇଁ ବହୁତ ବଡ଼ ମୁସ୍କିଲ ସ୍ଥିତି ସୃଷ୍ଟି କରିପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ