ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସମାଲୋଚନା: ନାଁ ନନେଇ ଆକ୍ଷେପ କଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ
ଝାରସୁଗୁଡ଼ା, ୧୩ | ୫ : ଝାରସୁଗୁଡ଼ା ଜିଲ୍ଲା ବିଜେପିର ଦୁଇ ନେତାଙ୍କ ମଧ୍ୟରେ ଥିବା ବିବାଦ ଏବେ ପଦାରେ ପଡ଼ିଛି। ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅନୁପସ୍ଥିତ ରହିଥିଲେ | ଆଉ ଏହାକୁ ନେଇ ବର୍ଷିଛନ୍ତି ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ | ସିଧାସଳଖ ତାଙ୍କ ନାମ ନ ନେଇ କଡା ସମାଲୋଚନା କରିଛନ୍ତି | ସେ କହିଛନ୍ତିଯେ, ଶାରୀରିକ ଅସୁସ୍ଥତା ଦର୍ଶାଇ ମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମକୁ ଏଡ଼ାଉଛନ୍ତି କିନ୍ତୁ ଅନ୍ୟପଟେ ବେସରକାରୀ ଶିଳ୍ପ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି | ଏହା ଜିଲ୍ଲାକୁ ଗୌରଵାନ୍ଵିତ୍ୟ କରୁଥିବା ଛାତ୍ରଛାତ୍ରୀଙ୍କ ପ୍ରତି ଏକ ଅପମାନ।
ସୂଚନା ଅନୁସାରେ, ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କରିବା ଉଦ୍ଦେଶ୍ୟରେ ଆଜି ଏକ ସମାରୋହର ଆୟୋଜନ କରାଯାଇଥିଲା | ଏ ସଭାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅନୁପସ୍ଥିତ ରହିଥିଲେ | ଯାହାକୁ ନେଇ ଖୋଦ ବିଜେପି ବିଧାୟକ କଡା ସମାଲୋଚନା କରଛନ୍ତି | ସେ ଅସନ୍ତୋଷ ପ୍ରକଶ କରି କହିଛନ୍ତିଯେ , “କାହାର ସ୍ୱାସ୍ଥ୍ୟଗତ ସମସ୍ୟା ଥାଇପାରେ ଠିକ ଅଛି କିନ୍ତୁ ପ୍ରାଇଭେଟ୍ କମ୍ପାନୀ କାର୍ଯ୍ୟକ୍ରମକୁ ଆସିବା ପାଇଁ ସମୟ ମିଳୁଛି, ମାତ୍ର ସରକାରୀ କାର୍ଯ୍ୟକ୍ରମକୁ ଆସିବା ପାଇଁ ସମୟ ନାହିଁ। ଆମେ କଣ ଏଠାକୁ ସେକ୍ରେଟେରୀଙ୍କ ଭାଷଣ ଶୁଣିବାକୁ ଆସିଛୁ । ଜିଲ୍ଲାର ୧୮ଟି ସ୍କୁଲର ଭିତ୍ତିଭୂମି ବିକାଶ ପାଇଁ ଶିକ୍ଷା ମନ୍ତ୍ରୀ ସୁପାରିଶ କରିଛନ୍ତି, ଏଭଳି ସ୍ଥିତିରେ ମନ୍ତ୍ରୀ ମହୋଦୟ ନିଜେ ଆସି ସଫଳତାକୁ ଦେଖିବା ଉଚିତ ଥିଲା।”
ତେବେ ମନ୍ତ୍ରୀଙ୍କ ଅନୁପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅବମାନନା ବୋଲି ସେ ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଯେଉଁ କଠିନ ପରିଶ୍ରମ କରିଛନ୍ତି, ତାହାକୁ ସମ୍ମାନ ଜଣାଇବା ପାଇଁ ମନ୍ତ୍ରୀ ଉପସ୍ଥିତ ରହିବା ନିହାତି ଭାବେ ଜରୁରୀ ଥିଲା | ତେବେ ଗୋଟିଏ ଦଳର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ଚାଲିଥିବା ଏହି ବାକ୍ଯୁଦ୍ଧକୁ ନେଇ ଏବେ ଜିଲ୍ଲା ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିର ଏହି ଭିତିରି କଲି ଦଳ ପାଇଁ ଆଗାମୀ ଦିନରେ ଅଡ଼ୁଆ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

