୨୯ ରେ ଲଇକେରା ଓ କିର୍ମିରା ଆଇଟିଡିଏ ବ୍ଲକ ପ୍ରତିଷ୍ଠା ଦିବସ ସମ୍ବର୍ଦ୍ଧିତ ହେବେ ମେଧାବୀ ଆଦିବାସୀ ଛାତ୍ରଛାତ୍ରୀ
ଝାରସୁଗୁଡ଼ା, ୧୬/୦୫ (ଓଡ଼ିଶା ନ୍ୟୁଜ୍):ସମ୍ମିଳିତ ଆଦିବାସୀ ସମାଜର ଆହ୍ୱାନ କ୍ରମେ ଆସନ୍ତା ୨୯ ତାରିଖ ଶୁକ୍ରବାର ଦିନ ବେହେରାମାଲ ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ଠାରେ ଲଇକେରା ଓ କିର୍ମିରା ଆଇଟିଡିଏ (ITDA) ବ୍ଲକ ପ୍ରତିଷ୍ଠା ଦିବସ ମହା ଆଡ଼ମ୍ବରରେ ପାଳନ କରାଯିବ। ଏହି ପରିପ୍ରେକ୍ଷୀରେ ଝାରସୁଗୁଡ଼ା ପୂର୍ତ୍ତ ବିଭାଗର ଡାକବଙ୍ଗଳା ପରିସରରେ ସମ୍ମିଳିତ ଆଦିବାସୀ ସମାଜର ସଭାପତି ରତ୍ନାକର ପ୍ରଧାନଙ୍କ ସଭାପତିତ୍ୱରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।
ଆସନ୍ତା ୨୯ ତାରିଖ ସକାଳ ୧୦ଟାରୁ ଆରମ୍ଭ ହେବାକୁ ଥିବା ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି ଉତ୍ସବକୁ ଝାଡ଼ଖଣ୍ଡର ପୂର୍ବତନ ବିଧାୟକ ଗୁରୁଚରଣ ନାଏକ, ଛତିଶଗଡ଼ ରାଜ୍ୟ ଆଦିବାସୀ ମହାସଂଘର ସଭାପତି ଆର୍.ଏନ୍. ଧୃବଙ୍କ ସମେତ ସ୍ଥାନୀୟ ଜିଲ୍ଲାପାଳ ଓ ଆଇଟିଡିଏର ବିଭିନ୍ନ ଅଧିକାରୀଙ୍କୁ ଆମନ୍ତ୍ରଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
ଏହି ପ୍ରତିଷ୍ଠା ଦିବସ ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୮୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଆଞ୍ଚଳିକ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ଏଥିସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ଖ୍ୟାତି ଅର୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ମାନିତ କରା ଯିବାର କାର୍ଯ୍ୟକ୍ରମ ରହିଛି।
ଉତ୍ସବ ଅବସରରେ ଆଇଟିଡିଏ ଅଞ୍ଚଳର ସାମଗ୍ରିକ ଉନ୍ନତି, ଆଦିବାସୀ ସମାଜର ଆର୍ଥିକ, ସାମାଜିକ ଓ ସାଂସ୍କୃତିକ ବିକାଶ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ନିର୍ମାଣ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ମଧ୍ୟରେ ଆଲୋଚନା ହେବ। ଏଥିସହ ଆଦିବାସୀଙ୍କ ମୂଳ ହକ୍ ‘ଜଳ, ଜଙ୍ଗଲ ଓ ଜମି’ର ସୁରକ୍ଷା ଏବଂ ବେଆଇନ ଭାବେ ଆଦିବାସୀ ଜମି ହଡ଼ପ ବା ବିକ୍ରିବଟା ସମସ୍ୟା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସଙ୍ଗଠନର ମହାସଚିବ ମହେନ୍ଦ୍ର ନାଏକ ସୂଚନା ଦେଇଛନ୍ତି।
ଉକ୍ତ ପ୍ରସ୍ତୁତି ସଭାରେ ସଙ୍ଗଠନର ଉପ-ସଭାପତି ସବିତା ପ୍ରଧାନ, ସଚିବ ଅଶୋକ କୁମାର ମାଝୀ, କୋଷାଧ୍ୟକ୍ଷ ବିନୋଦ ବିହାରୀ ବାଗ, ଉପଦେଷ୍ଟା ଚିହିରୁ ଭୋଇ, ହୁକୁମ ସିଂହ, ସେବତୀ ବାଗ, ଗଙ୍ଗାଧର ଭୋଇ, ଧର୍ମେନ୍ଦ୍ର କିସାନ ଓ ବିରେନ ମରେଇଙ୍କ ସମେତ ସମାଜର ଅନେକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ।

