ଏନ୍ ଏଚ ୪୯ ବାଉସେନପାଲି ଛକରେ ଟ୍ରକ-ବାଇକ ଦୁର୍ଘଟଣା, ଟ୍ରକ ଚାଳକକୁ କୋର୍ଟ ଚାଲାଣ
ଝାରସୁଗୁଡ଼ା ୧୬/୫ (ଓଡ଼ିଶା ନ୍ୟୂଜ୍): ୪୯ ନଂ ଜାତୀୟ ରାଜପଥରେ ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବାଉସେନପାଲି(ଖ) ଛକ ନିକଟରେ ଗୁରୁବାର ଘଟିଥିବା ମର୍ମନ୍ତୁଦ ଟ୍ରକ-ବାଇକ ଦୁର୍ଘଟଣା ଘଟଣାରେ ପୁଲିସ ଟ୍ରକ ଚାଳକଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ଶିବ କୁମାର ମହାତୋ। ଏହି ଘଟଣାକୁ ନେଇ ରେଙ୍ଗାଲି ଥାନାରେ କେସ୍ ନଂ ୧୩୮, ତାରିଖ ୧୫.୦୫.୨୦୨୬ରେ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଭାରତୀୟ ନ୍ୟାୟ ସଂହିତାର ସମ୍ପର୍କିତ ଧାରାରେ ଗିରଫ କରା ଯାଇଥିବା ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗୁରୁବାର ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ସମୟରେ କାହ୍ନୁ ଚରଣ ଓ ସୌମ୍ୟରଞ୍ଜନ ଏକ ଓଡି-୧୫-ଆର-୨୪୮୭ ନମ୍ବର ବିଶିଷ୍ଟ ବାଇକରେ କନକତୋରା ଅଭିମୁଖେ ଯାଉଥିଲେ। ସେହି ସମୟରେ ଛତିଶଗଡ଼ର ରାୟଗଡ଼ରୁ ଝାରସୁଗୁଡ଼ା ଅଭିମୁଖେ ଦୃତଗତିରେ ଆସୁଥିବା ଓଡି-୨୩-କେ-୬୧୬୪ ନମ୍ବର ବିଶିଷ୍ଟ ଏକ କୋଇଲା ବୋଝେଇ ଟ୍ରକ ବାଉସେନପାଲି ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା। ଫଳରେ ଉଭୟ ଯୁବକ ବାଇକ ସହ ଛିଟିକି ପଡ଼ି ରାଜପଥ କଡ଼ରେ ଲାଗିଥିବା ଲୁହା ସୁରକ୍ଷା ବାଡ଼ରେ ପିଟି ହୋଇ ଗୁରୁତର ଆହତ ହୋଇଥିଲେ। ଖବର ପାଇ ରେଙ୍ଗାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ତେବେ ସେଠାରେ କାହ୍ନୁ ଚରଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସୌମ୍ୟରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା।

