୪୯ ନଂ ଜାତୀୟ ରାଜପଥ ନବୀକରଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ ପାଣିରେ ପଡ଼ିଲା ୫୦ କୋଟି, ଯତ୍ ପୂର୍ବମ୍ ତତ୍ ପରମ୍’ ତେଜୁଛି ଜନ ଅସନ୍ତୋଷ; ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଉଠିଲା ଦାବି
ଝାରସୁଗୁଡ଼ା, ୧୬/୫ (ଓଡ଼ିଶା ନ୍ୟୂଜ୍) ଜାତୀୟ ରାଜପଥ ବିଭାଗର ଚରମ ଅବହେଳା ଓ ଠିକାସଂସ୍ଥାର ମଧୁଚନ୍ଦ୍ରିକା ଯୋଗୁଁ ୪୯ ନଂ ଜାତୀୟ ରାଜପଥ ଏବେ ସାଧାରଣ ଜନତାଙ୍କ ପାଇଁ ‘କାଳ’ ପାଲଟିଛି। ଝାରସୁଗୁଡ଼ାରୁ ଓଡ଼ିଶା–ଛତିଶଗଡ଼ ସୀମାନ୍ତ କନକତୋରା ପର୍ଯ୍ୟନ୍ତ ପ୍ରାୟ ୭୦ କିଲୋମିଟର ରାସ୍ତାର ପୁନରୁଦ୍ଧାର ନାଁରେ କୋଟି କୋଟି ଟଙ୍କାର ହରିଲୁଟ୍ ହୋଇଥିବା ଅଭିଯୋଗ ହେଉଛି। ୨୦୨୫ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କର ନବୀକରଣ ପାଇଁ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ହେଁ, ବାସ୍ତବରେ ଏହା ଜନ ସାଧାରଣଙ୍କ କାମରେ ନ ଲାଗି ଦୁର୍ନୀତିଖୋରଙ୍କ ପକେଟ୍କୁ ଯାଇଥିବା ଭଳି ମନେ ହେଉଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୪୯ନଂ ଜାତୀୟ ରାଜପଥ ନବୀକରଣ ନିର୍ମାଣ କାର୍ଯ୍ୟ ଶେଷ ହେବାର ମାସକ ମଧ୍ୟରେ ହିଁ ରାସ୍ତାର ଅଧିକାଂଶ ସ୍ଥାନରୁ ପିଚୁ ଉଠିଯିବା ସହ ଛୋଟ ବଡ଼ ଗର୍ତ୍ତ ମଧ୍ଯ ହୋଇଥିଲା । ବର୍ତ୍ତମାନ ରାସ୍ତାର ଦୟନୀୟ ସ୍ଥିତି ଦେଖିଲେ ମନେ ହେଉଛି ଯେମିତି “ଯତ୍ ପୂର୍ବମ୍ ତତ୍ ପରମ୍”। ଅର୍ଥାତ୍ ମରାମତି ପୂର୍ବରୁ ରାସ୍ତା ଯେଉଁ ବିପଜ୍ଜନକ ସ୍ଥିତିରେ ଥିଲା, କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ସ୍ଥିତି ସମାନ ରହିଛି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ କିଛି ସ୍ଥାନରେ କୋଡ଼ି-କୋଦାଳ ସାହାଯ୍ୟରେ ଅତ୍ୟନ୍ତ ନିମ୍ନମାନର ‘ପ୍ୟାଚ୍ ୱାର୍କ’ କରା ଯାଇଥିଲା, ଯାହା ବେଶୀଦିନ ତିଷ୍ଠି ନ ରହି ବିଭାଗର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି।
ବିଶେଷ କରି ବେଲପାହାଡ଼ରୁ କନକତୋରା ମଧ୍ୟରେ ଥିବା ରାସ୍ତା ଏବେ ମରଣଯନ୍ତା ପାଲଟିଛି । ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ବାଇକ୍ ଆରୋହୀଙ୍କ ଠାରୁ ଆରମ୍ଭ କରି ଭାରୀଯାନ ପର୍ଯ୍ୟନ୍ତ ପ୍ରତିଦିନ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାଜପଥ ଏବେ ‘ଡେଞ୍ଜର ଜୋନ୍’ରେ ପରିଣତ ହୋଇ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।
ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରେ ଏହି ମରାମତି କାର୍ଯ୍ୟରେ ବ୍ୟାପକ ‘ପିସି’ କାରବାର ଓ ଦୁର୍ନୀତି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି। ସରକାରୀ ଅନୁଦାନକୁ ହରିଲୁଟ୍ କରିଥିବା ସମ୍ପୃକ୍ତ ଠିକାସଂସ୍ଥା ଏବଂ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଯଦି ତୁରନ୍ତ ରାସ୍ତାର ସ୍ଥାୟୀ ପ୍ରତିକାର କରା ନଯାଏ, ତେବେ ଆଗାମୀ ଦିନରେ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି।

