Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏବେ ହେବ ଆର-ପାର ଲଢେଇ, ଗଙ୍ଗାରେ ପଦକ ଭସାଇବେ ରେଲସର

ନୂଆଦିଲ୍ଲୀ: ଏବେ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି କୁସ୍ତିଯୋଦ୍ଧା। ଆନ୍ଦୋଳନରେ ସାମିଲ୍ ସମସ୍ତ ରେସଲର ଆଜି ନିଜର ତୀବ୍ର ଅସନ୍ତୋଷ ପ୍ରକାଶ କରି ପଦକକୁ ଗଙ୍ଗା ଭସାଇ ଦେବାକୁ ଘୋଷଣା କରିଛନ୍ତି। ମହିଳା ଖେଳାଳିଙ୍କ ସହିତ ଯୌନ ଉତ୍ପୀଡ଼ନ ମାମଲାରେ ଭାରତୀୟ କୁସ୍ତି ମହାଂସଘର ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ପହିଲମାନଙ୍କୁ ଜନ୍ତରମନ୍ତରରେ ଆନ୍ଦୋଳନ କରିବାକୁ ପୋଲିସ ଆଉ ଅନୁମତି ଦେବ ନାହିଁ। ରବିବାର ପୋଲିସ ଟେଣ୍ଟ ଏବଂ ସାମଗ୍ରୀ ହଟାଇ ବଲପୂର୍ବକ ଆନ୍ଦୋଳନସ୍ଥଳ ଖାଲି କରାଇଛି।

ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ ମଙ୍ଗଳବାର ଟୁଇଟ୍ କରି କହିଛନ୍ତି, ପହିଲମାନ ଆଜି ସନ୍ଧ୍ୟା ୬ଟାରେ ହରିଦ୍ଵାର ଯାଇ ଗଙ୍ଗା ନଦୀରେ ନିଜର ପଦକ ଭସାଇବେ। ଏହା ପରେ ସେମାନେ ଇଣ୍ଡିଆ ଗେଟ୍ ଯାଇ ଆମରଣ ଅନଶନ ଆରମ୍ଭ କରିବେ। ଏବେ ରେସଲରମାନେ ଆର-ପାର ଲଢେଇ କରିବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶର ଖ୍ୟାତାନାମା କୁସ୍ତିଯୋଦ୍ଧାମାନେ ଏପ୍ରିଲ ୨୩ରେ ବ୍ରିଜଭୂଷଣ ଶରଣ ସିଂଙ୍କ ଗିରଫଦାରୀ ଦାବିରେ ଆନ୍ଦୋଳନ ଆରମ୍ଭ କରିଥିଲେ। ବ୍ରିଜଭୂଷଣ ଜଣେ ନାବାଳିକା ସହିତ ଅନେକ ମହିଳା ପହିଲମାନଙ୍କ ସହ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ କରିଛନ୍ତି। ପରେ ସୁପ୍ରିମକୋର୍ଟଙ୍କ ଆଦେଶ କ୍ରମେ ଦିଲ୍ଳୀ ପୋଲିସ ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।

ଉଲ୍ଲେଖନୀୟ ରବିବାର ନୂତନ ସଂସଦ ଭବନ ବାହାରେ ଡକାଯାଇଥିବା ମହିଳା ପଞ୍ଚାୟତ ପାଇଁ ସେଠାକୁ ଯିବା ସମୟରେ ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧା ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏହା ପରେ ପୋଲିସ ପହିଲମାନମାନଙ୍କୁ ଅଟକ ରଖିଥିଲା। କେବଳ ଏତିକି ନୁହେଁ ଦିଲ୍ଲୀ ପୋଲିସ ପହିଲମାନ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ଭିନେଶ ଫୋଗାଟଙ୍କ ସହିତ ସେମାନଙ୍କ ସମର୍ଥକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି।