Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡାରେ ଯାତ୍ରୀ ସୁରକ୍ଷା ପାଇଁ ‘ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ୍’ ଆରମ୍ଭ

ଝାରସୁଗୁଡା, ୧୯/୫(ଓଡ଼ିଶା ନ୍ୟୁଜ): ଶିଳ୍ପାଞ୍ଚଳ ଭାବେ ପରିଚିତ ଝାରସୁଗୁଡା ଜିଲ୍ଲାରେ ଦୈନନ୍ଦିନ ଯାତାୟାତ କରୁଥିବା ହଜାର ହଜାର ସାଧାରଣ ଲୋକ ଓ ଶ୍ରମିକଙ୍କ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଝାରସୁଗୁଡା ପୋଲିସ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରା ଯାଇଛି। ପୋଲିସର ଚାଲୁଥିବା ସ୍ପେଶାଲ ଡ୍ରାଇଭ୍ ‘ଅପରେସନ୍ ନେତ୍ର’ ଅଧୀନରେ ‘ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ୍’ର ଶୁଭାରମ୍ଭ କରା ଯାଇଛି।
ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ସହ ଯାତ୍ରୀ ମାନଙ୍କ ମନରେ, ବିଶେଷ କରି ମହିଳା ଓ ବରିଷ୍ଠ ନାଗରିକଙ୍କ ମଧ୍ୟରେ ନିରାପତ୍ତାର ଭାବ ସୃଷ୍ଟି କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ଏହି ଜନ କଲ୍ୟାଣ ମୂଳକ ଯୋଜନାରେ ଅଗ୍ରଣୀ ଶିଳ୍ପ ସଂସ୍ଥା ବେଦାନ୍ତ ଲିମିଟେଡ ସହଯୋଗର ହାତ ବଢ଼ାଇଛି।
ଏହି ନୂତନ ବ୍ୟବସ୍ଥା ଅଧୀନରେ ଜିଲ୍ଲାର ସମସ୍ତ ପଞ୍ଜୀକୃତ ଅଟୋ-ରିକ୍ସାର ସମ୍ପୂର୍ଣ୍ଣ ସୂଚନାକୁ ଡିଜିଟାଲ୍‌ କରାଯାଇଛି। ପ୍ରତ୍ୟେକ ଅଟୋର ଆଗ ଓ ପଛ ପାର୍ଶ୍ୱରେ ସ୍ୱତନ୍ତ୍ର QR କୋଡ୍ ଷ୍ଟିକର ଲଗା ଯାଉଛି, ଯାହା ମାଧ୍ୟମରେ ବାହାରୁ ମଧ୍ୟ ଗାଡ଼ିର ପରିଚୟ ଓ ସ୍ଥିତି ସହଜରେ ଚିହ୍ନଟ କରାଯାଇପାରିବ। ଯାତ୍ରୀମାନଙ୍କ ସୁବିଧା ପାଇଁ ଅଟୋ ଭିତରେ ଏକ ସୂଚନା ସିଟ୍‌ ମଧ୍ୟ ଲଗା ଯାଇଛି। ଏଥିରେ ଚାଳକ ଓ ମାଲିକଙ୍କ ନାମ, ଠିକଣା, ମୋବାଇଲ୍ ନମ୍ବର, ଡ୍ରାଇଭିଂ ଲାଇସେନ୍ସ ସହ ଗାଡ଼ିର ସମସ୍ତ ବିବରଣୀ ଉଲ୍ଲେଖ ରହିଛି।
ଯାତ୍ରୀ ମାନେ ନିଜ ମୋବାଇଲ୍‌ରେ QR କୋଡ୍ ସ୍କାନ୍ କରି ବିଭିନ୍ନ ସୁରକ୍ଷା ସେବାର ଲାଭ ଉଠାଇ ପାରିବେ। ସେମାନେ ଚାହିଁଲେ ସିଧାସଳଖ ପୋଲିସକୁ ‘ଲାଇଭ୍ ଜର୍ଣ୍ଣି ଟ୍ରାକିଂ’ ଅନୁରୋଧ ପଠାଇ ପାରିବେ। ଏହାଦ୍ୱାରା ପୋଲିସ କଣ୍ଟ୍ରୋଲ୍ ରୁମ୍‌ରୁ ଗାଡ଼ିର ଗତିବିଧି ଉପରେ ନଜର ରଖାଯିବ। ଅଟୋ ଚାଳକଙ୍କ ଦୁର୍ବ୍ୟବହାର, ଅଧିକ ଭଡ଼ା ଆଦାୟ, ବେପରୁଆ ଗାଡ଼ି ଚାଳନା, ଭୁଲ୍ ରୁଟ୍‌ରେ ଯାତ୍ରା, ଦୁର୍ଘଟଣା କିମ୍ବା ଗାଡ଼ିରେ ସାମଗ୍ରୀ ଛାଡ଼ିଯିବା ଭଳି ଘଟଣାରେ ଯାତ୍ରୀ ମାନେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ ଦାଖଲ କରି ପାରିବେ। ଏହାସହ ନିକଟସ୍ଥ ଥାନା ଓ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୧୨ ଏବଂ କଣ୍ଟ୍ରୋଲ୍ ରୁମ୍ ନମ୍ବର ୭୩୮୧୮୦୯୯୬୩ ମଧ୍ୟ ସହଜରେ ଉପଲବ୍ଧ ହେବ। ଝାରସୁଗୁଡା ପୋଲିସ ପକ୍ଷରୁ କୁହା ଯାଇଛି ଯେ, ଏହି ବ୍ୟବସ୍ଥା କେବଳ ଯେ, ଯାତ୍ରୀ ମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ନୁହେଁ, ବରଂ ସଚ୍ଚୋଟ ଅଟୋ ଚାଳକ ମାନଙ୍କ ସାମାଜିକ ପ୍ରତିଷ୍ଠା ଓ ସେବା ପ୍ରତି ଲୋକଙ୍କ ବିଶ୍ୱାସକୁ ମଧ୍ୟ ବୃଦ୍ଧି କରିବ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ‘ଅପରେସନ୍ ନେତ୍ର’ ଅଧୀନରେ ବେଆଇନ ଅସ୍ତ୍ର କାରବାର, ନିଶାଦ୍ରବ୍ୟ ଚୋରା ଚାଲାଣ ଓ ସାଇବର ଅପରାଧ ବିରୋଧରେ ଝାରସୁଗୁଡା ପୋଲିସ ବଡ଼ ସଫଳତା ହାସଲ କରିଛି । ବର୍ତ୍ତମାନ ‘ସ୍ମାର୍ଟ ଅଟୋ ଟ୍ରାକିଂ ସିଷ୍ଟମ୍’ ମାଧ୍ୟମରେ ସହରକୁ ଅଧିକ ସୁରକ୍ଷିତ ଓ ସ୍ମାର୍ଟ କରିବା ଦିଗରେ ପୋଲିସ ନିଜର ସଂକଳ୍ପକୁ ଆହୁରି ମଜବୁତ କରିଛି। ଏହି ବୈଷୟିକ ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରା ଯାଉଛି। ଆଜିର କାର୍ଯ୍ୟକ୍ରମରେ ଜିଲାପାଳ କୁନାଲ ମୋତିରାମ ଚହ୍ୱାଣ, ଆଇଜି ହିମାଂଶୁ ଲାଲ୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ରାଘବେନ୍ଦ୍ର ରେଡ୍ଡୀଙ୍କ ସହ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories