ଟି-୨୦ରେ ୨୦୦ ରନ୍ ମାରିବା ଲକ୍ଷ୍ୟ, କ୍ରିସ୍ ଗେଲଙ୍କ ୧୭୫ ରନ୍ ରେକର୍ଡ ଭାଙ୍ଗିବେ ବୈଭବ ସୂର୍ଯ୍ୟବଂଶୀ
ଚଳିତ ଆଇପିଏଲରେ ଦମଦାର ପ୍ରଦର୍ଶନ କରୁଥିବା ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଏବେ ଚର୍ଚ୍ଚାରେ ଅଛନ୍ତି। ନିଜ ବିସ୍ଫୋରକ ବ୍ୟାଟିଂ ଦ୍ୱାରା ସେ କ୍ରିକେଟ୍ ପ୍ରେମୀଙ୍କ ହୃଦୟ ଜିତିବା ସହ ଅରେଞ୍ଜ କ୍ୟାପ୍ ଦୌଡ଼ରେ ମଧ୍ୟ ରହିଛନ୍ତି। ନିକଟରେ କେଭିନ୍ ପିଟରସନଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଯୋଗ ଦେଇ ବୈଭବ ନିଜର ବଡ଼ ଲକ୍ଷ୍ୟ ବିଷୟରେ କହିଛନ୍ତି।
ବୈଭବ କହିଛନ୍ତି ଯେ, ଟି-୨୦ କ୍ରିକେଟ୍ରେ କ୍ରିସ୍ ଗେଲଙ୍କ ୧୭୫ ରନ୍ର ବିଶ୍ୱ ରେକର୍ଡକୁ ସେ ଭାଙ୍ଗିବାକୁ ଚାହୁଁଛନ୍ତି। “ମୁଁ ଯଦି ସମ୍ପୂର୍ଣ୍ଣ ୨୦ ଓଭର ବ୍ୟାଟିଂ କରିବାର ସୁଯୋଗ ପାଏ, ତେବେ ଏହି ରେକର୍ଡ ସହଜରେ ଭାଙ୍ଗିପାରିବି। ଟି-୨୦ରେ ଦ୍ବିଶତକ ମାରିବା ମୋର ଲକ୍ଷ୍ୟ,” ବୋଲି ସେ କହିଛନ୍ତି। ତାଙ୍କର ଏହି ଆତ୍ମବିଶ୍ୱାସୀ ବୟାନ କ୍ରିକେଟ୍ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କେଭିନ୍ ପିଟରସନଙ୍କ କାର୍ଯ୍ୟକ୍ରମରେ ବୈଭବଙ୍କୁ ୫୦ ବଲରେ ୧୦୦ ରନ୍ କରିବାର ଚ୍ୟାଲେଞ୍ଜ ଦିଆଯାଇଥିଲା। କିନ୍ତୁ ସେ ମାତ୍ର ୨୫ ବଲରେ ଏହି ଲକ୍ଷ୍ୟ ପୂରଣ କରିଦେଇଥିଲେ। ଏପରିକି କେବଳ ୧୦ ବଲରେ ଅର୍ଦ୍ଧଶତକ ହାସଲ କରି ସମସ୍ତଙ୍କୁ ଆଶ୍ଚର୍ୟଚକିତ କରିଦେଇଥିଲେ। ତାଙ୍କର ଏହି ବିସ୍ଫୋରକ ବ୍ୟାଟିଂ ଦେଖି କେଭିନ୍ ପିଟରସନ ମଧ୍ୟ ଚମକିଯାଇଥିଲେ।

