ଫେସବୁକ୍ ଆକାଉଣ୍ଟ ବ୍ୟାନ ପଛରେ ବିଜେପିର ୨ ସାଂସଦ! ଗୁରୁତର ଅଭିଯୋଗ ଆଣିଲେ ସୁଲତା ଦେଓ
ବିଜେଡି ସାଂସଦ ସୁଲତା ଦେଓଙ୍କ ଫେସବୁକ୍ ଆକାଉଣ୍ଟ ବ୍ୟାନ ହେବା ଘଟଣା ଏବେ ରାଜନୈତିକ ମହଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁଲତା ଦେଓ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ ହେବା ପଛରେ ବିଜେପିର ଦୁଇଜଣ ସାଂସଦଙ୍କ ହାତ ରହିଛି। ଶ୍ରୀମନ୍ଦିର ନିକଟରେ ହେଲିକପ୍ଟର ଉଡ଼ାଇବା ଘଟଣାକୁ ନେଇ ସେ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ପୋଷ୍ଟ କରିଥିବାରୁ ତାଙ୍କ ଆକାଉଣ୍ଟକୁ ବ୍ୟାନ କରାଯାଇଥିବା ସେ କହିଛନ୍ତି।
ସୁଲତା ଦେଓଙ୍କ କହିବା ଅନୁସାରେ, ବିଜେପିର ଜଣେ ସାଂସଦ ଓ ତାଙ୍କ ଝିଅଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କିତ ତଥ୍ୟ ସେ ଫେସବୁକ୍ରେ ପୋଷ୍ଟ କରିଥିଲେ। ଏହା ସହ ଅନ୍ୟ ଜଣେ ବିଜେପି ସାଂସଦ ମଧ୍ୟ ନୋ-ଫ୍ଲାଇଂ ଜୋନରେ ବାରମ୍ବାର ହେଲିକପ୍ଟର ଉଡ଼ାଇଥିବା ଅଭିଯୋଗ କରିଛନ୍ତି। ଏହି ପୋଷ୍ଟକୁ ନେଇ କେନ୍ଦ୍ର ସରକାରଙ୍କ ଚାପରେ ମେଟା ପକ୍ଷରୁ ତାଙ୍କ ଫେସବୁକ୍ ଆକାଉଣ୍ଟ ବନ୍ଦ କରାଯାଇଥିବା ସୁଲତା ଦାବି କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଜଣେ ମହିଳା ସାଂସଦ ଭାବେ ସେ ସବୁବେଳେ ଲୋକଙ୍କ ସମସ୍ୟା ଉଠାଇଆସୁଥିଲେ ଏବଂ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ତେବେ ତାଙ୍କ ସ୍ୱରକୁ ଚାପି ଦେବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଫେସବୁକ୍ରୁ ଆସିଥିବା ନୋଟିସରେ ଭାରତ ସରକାରଙ୍କ ଆଇନଗତ ନିର୍ଦ୍ଦେଶ ଉଲ୍ଲେଖ ଥିବା ସେ କହିଛନ୍ତି। ଏହାକୁ ନେଇ ସେ ନ୍ୟାୟିକ ଲଢ଼େଇ କରିବେ ବୋଲି ମଧ୍ୟ ସୂଚନା ଦେଇଛନ୍ତି।

