Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ପୋଲିସ ଏନକାଉଣ୍ଟର: ଡ୍ରଗ୍ସ ଓ ବନ୍ଧୁକ କାରବାରରେ ଜଡିତ ପପୁନ୍ ମାଝୀ ଆହତ

ରାଜଧାନୀ ଉପକଣ୍ଠ ଅରିସଲ ଅଞ୍ଚଳରେ ବିଳମ୍ବିତ ରାତିରେ ପୋଲିସ ଏକ ବଡ଼ ଏନକାଉଣ୍ଟର କରିଛି। ଡ୍ରଗ୍ସ ଓ ବନ୍ଧୁକ କାରବାରରେ ଜଡିତ ଦୁର୍ଦ୍ଧାନ୍ତ ଅପରାଧୀ ପପୁନ୍ ମାଝୀ ପୋଲିସ ଗୁଳିରେ ଆହତ ହୋଇଛି। ସ୍ପେସାଲ କ୍ରାଇମ୍ ୟୁନିଟ୍ ଚଢ଼ାଉ କରିବା ସମୟରେ ପପୁନ୍ ପୋଲିସ ଉପରକୁ ଗୁଳି ଚଳାଇ ଖସି ପଳାଇବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି।

ପୋଲିସର ପାଲଟା ଗୁଳି ପପୁନ୍‌ର ଡାହାଣ ଗୋଡ଼ରେ ବାଜିବାରୁ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲା। ଏହି ଅଭିଯାନରେ ସ୍ପେସାଲ କ୍ରାଇମ୍ ୟୁନିଟ୍‌ର ନେତୃତ୍ୱ ନେଉଥିବା ଡିସିପି ଅନୁପ କାନୁନଗୋ ଓ ତାଙ୍କ ଟିମ୍‌ର କିଛି ସଦସ୍ୟ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳର ପପୁନ୍ ଗତ କିଛି ଦିନ ଧରି ଭୁବନେଶ୍ୱରରେ ଡ୍ରଗ୍ସ ଚୋରା କାରବାର ସହ ଅପରାଧୀମାନଙ୍କୁ ବନ୍ଧୁକ ଯୋଗାଇ ଆସୁଥିବା ନେଇ ପୋଲିସ ପାଖରେ ଖବର ଥିଲା।

ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ଅଢ଼େଇଟା ବେଳେ ଅରିସଲ ଛକ ନିକଟରେ ପପୁନ୍ ଡ୍ରଗ୍ସ ନେଇ ଯାଉଥିବା ବେଳେ ପୋଲିସ ତାକୁ ଅଟକାଇଥିଲା। ସେତେବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇ ଫେରାର ହେବାକୁ ଚେଷ୍ଟା କରିଥିଲା। ଆତ୍ମରକ୍ଷା ପାଇଁ ପୋଲିସ ଗୁଳି ଚଳାଇବାରୁ ସେ ଆହତ ହୋଇଥିଲା। ପୋଲିସ ତା ନିକଟରୁ ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ଓ ଏକ ୭.୬ ଏମଏମ ପିସ୍ତଲ ଜବତ କରିଛି। ପପୁନ୍‌ ନାମରେ ଡ୍ରଗ୍ସ ଓ ବନ୍ଧୁକ କାରବାର ସମ୍ବନ୍ଧୀୟ ୨୦ରୁ ଅଧିକ ମାମଲା ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ