ଓଡ଼ିଶା-ଛତିଶଗଡ଼ ସୀମାରେ ବଡ଼ ଧରଣର ଅବକାରୀ ଚଢ଼ଉ ୮୭୦ ଲିଟର ବେଆଇନ ମହୁଲି ମଦ ଜବତ, ୮ ଗିରଫ
ଝାରସୁଗୁଡ଼ା ୨୬/୫ (ଓଡ଼ିଶା ନ୍ୟୁଜ୍) : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଚାଲିଥିବା ବ୍ୟାପକ ବେଆଇନ ମହୁଲି ମଦ କାରବାର ଉପରେ ପୁଲିସ ପକ୍ଷରୁ ଗତକାଲି ଏକ ବଡ଼ ଧରଣର ଅବକାରୀ ଚଢ଼ଉ କରିଥିଲା । ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଦୁର୍ଗମ ଅଞ୍ଚଳରେ ଚାଲୁଥିବା ଏହି ଅବୈଧ ରାକେଟକୁ ପୁଲିସ ପଣ୍ଡ କରିବା ସହ ୮ ଜଣଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ବିପୁଳ ପରିମାଣର ଦେଶୀ ମଦ, ମହୁଲ ପୋଚ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଥିବା ବେଳେ ୧୭ଟି ବେଆଇନ ଚୁଲିକୁ ଭାଙ୍ଗି ନଷ୍ଟ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ବଡ଼ଧରା ଗ୍ରାମର ଖଜୁରିଆପଡ଼ା ଅଞ୍ଚଳରେ ବ୍ୟାପକ ଭାବେ ବେଆଇନ ଦେଶୀ ମଦ ପ୍ରସ୍ତୁତ ଓ ଚୋରା ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ଏହାପରେ ଝାରସୁଗୁଡ଼ା ଏସପି ଜି. ରାଘବେନ୍ଦ୍ର ରେଡ୍ଡୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗତକାଲି ମଙ୍ଗଳବାର ଭୋର ସମୟରେ ଏକ ସ୍ପେଶାଲ ଅପରେସନ କରା ଯାଇଥିଲା। ଏହି ଅପରେସନ ଟିମରେ ଅତିରିକ୍ତ ଏସପି ମଧୁସିକ୍ତା ମିଶ୍ର ଓ ଜ୍ୟୋତ୍ସ୍ନାମୟୀ ପ୍ରଧାନ, ଡିଏସପି ବନିତା ମାଝୀ, ଲଖନପୁର ଥାନା ଅଧିକାରୀ ଶୋଭାକର ସେଠ, ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ, ଏସଆଇ ପୁଷ୍ପା ଖମାରୀ ଓ ଚିତ୍ରସେନ ଦେହେରୀ, କଣ୍ଡେକେଲା ଫାଣ୍ଡି ଅଧିକାରୀ ଗଣେଶରାମ କଲେତ, କନକତୋରା ବିଟ ହାଉସ ଅଧିକାରୀ ନରୋତ୍ତମ ସା, ଏଏସଆଇ ଶିବ ଓରାମ ଓ ଦୀପକ କୁଲୁ, ରିଜର୍ଭ ଇନ୍ସପେକ୍ଟର ଅନୀଲ ମୁଖୀ ଓ ଅଶ୍ୱିନୀ ମାଝୀଙ୍କ ସମେତ ମହିଳା କର୍ମଚାରୀଙ୍କ ସହିତ ୩ ପ୍ଲାଟୁନ ଫୋର୍ସ ସାମିଲ ହୋଇଥିଲେ। ଲଖନପୁର ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅଜିତ କୁମାର ମହନ୍ତଙ୍କ ଉପସ୍ଥିତିରେ ଚଢ଼ଉ କରା ଯାଇଥିଲା।
ହୀରାକୁଦ ଜଳଭଣ୍ଡାର ସଂଲଗ୍ନ ଦୁର୍ଗମ ଅଞ୍ଚଳ ହୋଇ ଥିବାରୁ ଅଭିଯୁକ୍ତ ମାନେ ଯେପରି ଜଳପଥ କିମ୍ବା ଜଙ୍ଗଲ ରାସ୍ତା ଦେଇ ଫେରାର ହୋଇ ନ ପାରନ୍ତି, ସେଥିପାଇଁ ପୁଲିସ ଚାରିପଟୁ ଘେରାବନ୍ଦୀ କରି କମ୍ବିଂ ଅପରେସନ ଚଳାଇଥିଲା। ଚଢ଼ଉ ବେଳେ ପୁଲିସ ଅନେକ ବେଆଇନ ମଦ ରନ୍ଧା କେନ୍ଦ୍ର ଠାବ କରିବା ସହ ପ୍ରାୟ ୧୭ଟି ଚୁଲିକୁ ଘଟଣା ସ୍ଥଳରେ ଭାଙ୍ଗି ଦେଇଥିଲା ଏବଂ ପ୍ରାୟ ୮୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ୩୦ କ୍ୱିଣ୍ଟାଲରୁ ଅଧିକ ମହୁଲ ପୋଚ ଓ ୨୦ କ୍ୱିଣ୍ଟାଲରୁ ଅଧିକ ମହୁଲ ସାମଗ୍ରୀ ନଷ୍ଟ କରା ଯାଇଥିଲା। ଏଥିସହ ଏକ ବୋଲେରୋ ଗାଡ଼ି, ୪ଟି ବାଇକ୍, ବିଭିନ୍ନ ପାତ୍ର ଓ ମଦ ପ୍ରସ୍ତୁତି ସରଞ୍ଜାମ ମଧ୍ୟ ଜବତ କରା ଯାଇଛି। ଏହି ଘଟଣାରେ ସଂମ୍ପୃକ୍ତ ଥିବା କୁଞ୍ଜ ବେହେରା (୨୮), ପ୍ରଫୁଲ୍ଲ ବେହେରା (୨୪), କାର୍ତ୍ତିକ ବେହେରା (୬୬), ଅକ୍ଷୟ ବେହେରା (୨୩), ଭରତ ବେହେରା (୪୭), ସଞ୍ଜୟ ବେହେରା (୪୫), ରୂପରାମ ବେହେରା (୫୭) ଓ ଭୂମିସୁତା ବେହେରା (୪୫)ଙ୍କୁ ଗିରଫ କରା ଯାଇଛି। ସମସ୍ତେ ବଡ଼ଧରା ଗ୍ରାମର ବୋଲି ପୁଲିସ କହିଛି। ପୁଲିସ ରେକର୍ଡ ଅନୁଯାୟୀ, ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କାର୍ତ୍ତିକ ବେହେରା, ଭରତ ବେହେରା, ସଞ୍ଜୟ ବେହେରା ଓ ରୂପରାମ ବେହେରାଙ୍କ ନାମରେ ପୂର୍ବରୁ ମଧ୍ୟ ଅବକାରୀ ଓ ଅନ୍ୟାନ୍ୟ ଅପରାଧିକ ମାମଲା ରହିଥିବା ଜଣା ପଡ଼ିଛି।
ରେଙ୍ଗାଲି ଥାନାରେ ୧୫୦/୨୬ ରୁ ୧୫୬/୨୬ ପର୍ଯ୍ୟନ୍ତ ମୋଟ ୭ଟି ମାମଲା ରୁଜୁ କରି ବିଏନଏସ୍ ଧାରା ୨୭୪/୨୭୫ ସହ ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୫୨(ଏ)(ଆଇ) ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରା ଯାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ସଂଗଠିତ ଆନ୍ତଃରାଜ୍ୟ ବେଆଇନ ମଦ ନେଟୱର୍କ ହୋଇଥିବା ସନ୍ଦେହ କରା ଯାଉଛି। ଏହି କାରବାରରେ ସଂପୃକ୍ତ ଫାଇନାନ୍ସର, ପରିବହନକାରୀ ସଂସ୍ଥା ଓ ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି. ରାଘବେନ୍ଦ୍ର ରେଡ୍ଡୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

