ବିଳମ୍ବରେ ଓଡ଼ିଶା ଛୁଇଁପାରେ ମୌସୁମୀ, ଜୁନ୍ ଦ୍ୱିତୀୟ ସପ୍ତାହରେ ବର୍ଷା
ଚଳିତ ବର୍ଷ ମୌସୁମୀ ବାୟୁର ଆଗମନ ସାମାନ୍ୟ ବିଳମ୍ବ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଅନୁସାରେ, ମେ’ ୩୦ କିମ୍ବା ୩୧ ତାରିଖ ସୁଦ୍ଧା କେରଳରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନର ପାଣିପାଗ ମଡେଲ୍ ଓ ପର୍ଯ୍ୟବେକ୍ଷଣ ତଥ୍ୟ ଅନୁଯାୟୀ ମୌସୁମୀ କେରଳରେ ମେ’ ୩୦ରୁ ଜୁନ୍ ୩ ମଧ୍ୟରେ ପ୍ରବେଶ କରିପାରେ। ତେବେ ବାୟୁମଣ୍ଡଳୀୟ ସ୍ଥିତି ଅନୁକୂଳ ନ ରହିଲେ ଏହା ଆହୁରି ୧ରୁ ୩ ଦିନ ବିଳମ୍ବ ହୋଇପାରେ।
ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହି ବିଳମ୍ବ ମୌସୁମୀ ଦୁର୍ବଳ ହେବାର ସଙ୍କେତ ନୁହେଁ। ଆରବ ସାଗର ଓ ଦକ୍ଷିଣ ଭାରତରେ ଦକ୍ଷିଣ-ପଶ୍ଚିମ ବାୟୁ ସକ୍ରିୟ ରହିଥିବା ବେଳେ କେରଳ-ଲାକ୍ଷାଦ୍ୱୀପ ଅଞ୍ଚଳରେ ବ୍ୟାପକ ବର୍ଷା, ଘନ ମେଘମାଳା ଏବଂ ଅନୁକୂଳ ପାଣିପାଗ ସ୍ଥିତି ମୌସୁମୀ ପାଇଁ ସକାରାତ୍ମକ ସଙ୍କେତ ଦେଉଛି। ତେବେ ଓଡ଼ିଶାରେ ମୌସୁମୀ ପ୍ରବେଶ ପୂର୍ବରୁ ଉପକୂଳ ଜିଲ୍ଲାଗୁଡ଼ିକରେ ଆର୍ଦ୍ରତା ଓ ଗୁଳୁଗୁଳି ବଢ଼ିବା ସହ ବଜ୍ରପାତ ଓ ବର୍ଷାର ପରିମାଣ ମଧ୍ୟ ବୃଦ୍ଧି ପାଇପାରେ।
ଅନ୍ୟପକ୍ଷରେ ପଶ୍ଚିମ ଓଡ଼ିଶାରେ ଆହୁରି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବାର ସମ୍ଭାବନା ରହିଛି। ଜୁନ୍ ଆରମ୍ଭରେ ରାଜ୍ୟରେ ସକ୍ରିୟ କାଳବୈଶାଖୀ ପର୍ଯ୍ୟାୟ ଦେଖିବାକୁ ମିଳିପାରେ। ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁପ୍ରବାହ ଶକ୍ତିଶାଳୀ ହେବା ପରେ ହିଁ ମୌସୁମୀ ରାଜ୍ୟରେ ସ୍ଥିର ହେବ। ଏହି ପରିସ୍ଥିତିକୁ ଦେଖି ଜୁନ୍ ଦ୍ୱିତୀୟ ସପ୍ତାହ ବେଳକୁ ଓଡ଼ିଶାରେ ମୌସୁମୀର ପ୍ରଭାବ ସ୍ପଷ୍ଟ ଭାବେ ଅନୁଭୂତ ହେବାର ସମ୍ଭାବନା ରହିଛି।

