ଦ୍ୱିତୀୟ ବର୍ଷ ପୂର୍ତ୍ତିରେ ଓଡ଼ିଶାକୁ ଆସିବେ ମୋଦୀ, ହୋଇପାରେ ଦୁଇ ବଡ଼ ଯୋଜନାର ଘୋଷଣା
ଓଡ଼ିଶାରେ ବିଜେପି ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଜନସଭାକୁ ସମ୍ବୋଧନ କରିବା ସହ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଲକ୍ଷ୍ୟ ପାଇଁ ରାଜ୍ୟ ସରକାରଙ୍କୁ ମାର୍ଗଦର୍ଶନ ଦେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଗସ୍ତ ପାଇଁ ସବୁଜ ସଙ୍କେତ ମିଳିସାରିଛି।
ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ନିକଟରେ ଦିଲ୍ଲୀ ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦ୍ୱିତୀୟ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲେ। ଏହାପରେ ପିଏମଓ ପକ୍ଷରୁ ସକାରାତ୍ମକ ସଙ୍କେତ ମିଳିଛି। ଏହା ସହ ଲୋକସେବା ଭବନରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହ ବୈଠକ କରି ସରକାରଙ୍କ ଦୁଇ ବର୍ଷର ସଫଳତା, ଉପଲବ୍ଧି ଏବଂ ଆଗାମୀ ଯୋଜନା ଉପରେ ଆଲୋଚନା କରାଯାଇଛି।
ସୂଚନା ମୁତାବକ, ଏହି ଅବସରରେ ରାଜ୍ୟ ସରକାର ଗୋଟିଏ କିମ୍ବା ଦୁଇଟି ବଡ଼ ଜନକଲ୍ୟାଣମୂଳକ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବିଭିନ୍ନ ବିଭାଗରୁ ପ୍ରସ୍ତାବ ମଗାଯାଇଛି ଏବଂ ଅଧିକ ସଂଖ୍ୟକ ଲୋକ ଉପକୃତ ହେବା ଭଳି ଯୋଜନାକୁ ଚୟନ କରାଯିବ। ଏହା ସହ ଅନେକ ନୂଆ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କରାଯାଇପାରେ। ତେବେ ଜୁନ୍ ୧୨ରେ ସରକାରର ଦ୍ୱିତୀୟ ବର୍ଷ ପୂର୍ତ୍ତି ହେଉଥିଲେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧତା ଅନୁସାରେ କାର୍ଯ୍ୟକ୍ରମର ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହେବ।

