Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଥାର୍ ଦୁର୍ଘଟଣାରେ ବଡ଼ ଟ୍ୱିଷ୍ଟ: ହତ୍ୟା ଅଭିଯୋଗ ଆଣିଲେ ପରିବାର, ୫ ଜଣଙ୍କୁ ଜେରା କରୁଛି ପୋଲିସ

ନିଳାଦ୍ରି ବିହାରରେ ଘଟିଥିବା ଥାର୍ ଦୁର୍ଘଟଣା ମାମଲା ଏବେ ନୂଆ ମୋଡ଼ ନେଇଛି। ପ୍ରଥମେ ଏହାକୁ ସଡ଼କ ଦୁର୍ଘଟଣା ବୋଲି ଧରାଯାଉଥିବାବେଳେ, ମୃତ ଯୁବକଙ୍କ ପରିବାର ଏହା ଏକ ପୂର୍ବ ପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ପରେ କମିଶନରେଟ୍ ପୋଲିସ ଘଟଣାର ତଦନ୍ତକୁ ଜୋରଦାର କରିବା ସହ ଥାର୍ ଗାଡ଼ିକୁ ଜବତ କରିଛି ଏବଂ ୫ ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

ପୋଲିସ ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ଦ୍ରୁତଗାମୀ ଥାର୍ ଗାଡ଼ି ବାଇକକୁ ପଛପଟୁ ଧକ୍କା ଦେଇଥିଲା। ବାଇକରେ ତିନି ଜଣ ଯୁବକ ଯାଉଥିବା ବେଳେ ଜଣେ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ଓ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଥିଲେ। ମୃତ ଯୁବକ ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳର ବୋଲି ଜଣାପଡ଼ିଛି।

ତେବେ ମୃତକଙ୍କ ପରିବାର ପକ୍ଷରୁ ଏହାକୁ କେବଳ ଦୁର୍ଘଟଣା ନୁହେଁ ବରଂ ପୂର୍ବ ଶତ୍ରୁତାର ପରିଣାମ ବୋଲି ଦାବି କରାଯାଇଛି। ଏକ ଲସି ଦୋକାନକୁ କେନ୍ଦ୍ର କରି ପୂର୍ବରୁ ହୋଇଥିବା ବିବାଦ ଯୋଗୁଁ ଯୋଜନାବଦ୍ଧ ଭାବେ ଥାର୍ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ଆଧାର କରି ଚନ୍ଦ୍ରଶେଖରପୁର ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ପୋଲିସ ସିସିଟିଭି ଫୁଟେଜ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ