Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ରାଜ୍ୟପାଳଙ୍କ ପ୍ରଥମ ମହିଳା ADC ହେଲେ IPS ଅନନ୍ୟା ଅବସ୍ଥୀ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି IPS ଅଧିକାରୀ ଅନନ୍ୟା ଅବସ୍ଥୀଙ୍କୁ ନିଜର ଏଡ୍-ଡି-କ୍ୟାମ୍ପ (ADC) ଭାବେ ନିଯୁକ୍ତ କରିଛନ୍ତି। ଏହା ସହ ସେ ଓଡ଼ିଶା ରାଜ୍ୟପାଳଙ୍କ ADC ଭାବେ କାର୍ଯ୍ୟ କରୁଥିବା ପ୍ରଥମ ମହିଳା ଅଧିକାରୀ ହୋଇଛନ୍ତି।

ରବିବାର ଲୋକଭବନରେ ଆୟୋଜିତ ଏକ ଔପଚାରିକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଅନନ୍ୟା ଅବସ୍ଥୀଙ୍କୁ ନୂତନ ଦାୟିତ୍ୱ ପାଇଁ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ସଚିବାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନିଯୁକ୍ତି ପୂର୍ବରୁ ଅନନ୍ୟା ଅବସ୍ଥୀ କଟକରେ ACP (UPD) ଭାବେ କାର୍ଯ୍ୟରତ ଥିଲେ।

ଅନନ୍ୟା ଅବସ୍ଥୀ ପୂର୍ବତନ ଏଡ୍-ଡି-କ୍ୟାମ୍ପ କୁଲଦୀପ ମୀନାଙ୍କ ସ୍ଥାନ ନେଇଛନ୍ତି। ଓଡ଼ିଶା ରାଜ୍ୟପାଳଙ୍କ ସହ ଦୁଇଜଣ ADC କାର୍ଯ୍ୟ କରିଥାନ୍ତି। ସେଥିରୁ ଜଣେ ଓଡ଼ିଶା ପୁଲିସ ଏବଂ ଅନ୍ୟଜଣେ ଭାରତୀୟ ନୌସେନାର ଅଧିକାରୀ ହୋଇଥାନ୍ତି। ଅନନ୍ୟା ଅବସ୍ଥୀ ପୁଲିସ ADC ଭାବେ ଦାୟିତ୍ୱ ନେଇଥିବାବେଳେ ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ହର୍ଷିତ ଦେଓ ନୌସେନା ADC ଭାବେ କାର୍ଯ୍ୟ ଜାରି ରଖିବେ।

ADC ରାଜ୍ୟପାଳଙ୍କ ସରକାରୀ କାର୍ଯ୍ୟକ୍ରମ, ଔପଚାରିକ ସମାରୋହ ଏବଂ ବିଭିନ୍ନ ପ୍ରୋଟୋକଲ୍‌ ସମ୍ପର୍କିତ ଦାୟିତ୍ୱରେ ସହଯୋଗ କରିଥାନ୍ତି। ଅନନ୍ୟା ଅବସ୍ଥୀଙ୍କ ଏହି ନିଯୁକ୍ତି ରାଜ୍ୟରେ ମହିଳାଙ୍କ ସଶକ୍ତିକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ବୋଲି ମନେ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ