ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ ସଙ୍କେତ, ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ
ନୂଆଦିଲ୍ଲୀ: ବିଜେପିରେ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ ଓ ନୂଆ ଟିମ୍ ଗଠନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି (CEC)ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଆଗାମୀ ରାଜ୍ୟସଭା ଓ ବିଧାନ ପରିଷଦ ନିର୍ବାଚନ ସମ୍ପର୍କରେ ଆଲୋଚନା କରାଯାଇଥିଲା।
ସୂଚନା ଅନୁସାରେ, ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ସହିତ ୩ଟି ଉପନିର୍ବାଚନ ଆସନ ଏବଂ ମହାରାଷ୍ଟ୍ର ସମେତ କେତେକ ରାଜ୍ୟର ବିଧାନ ପରିଷଦ ନିର୍ବାଚନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜେପି ନଡ୍ଡା, ବିଏଲ୍ ସନ୍ତୋଷ, ଦେବେନ୍ଦ୍ର ଫଡ଼ନବୀସ ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଦଳ ଚଳିତ ନିର୍ବାଚନରେ ରାଜ୍ୟସଭାରେ ନିଜର ସଂଖ୍ୟା ବଢ଼ାଇବ ବୋଲି ଆଶା ପ୍ରକାଶ କରିଛି।
ବୈଠକ ପରେ ପ୍ରଧାନମନ୍ତ୍ରୀଙ୍କ ସହ ଶୀର୍ଷ ନେତୃତ୍ୱର ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ହୋଇଥିଲା। ଏଥିରେ ସାଂଗଠନିକ ପୁନର୍ଗଠନ, ନୂଆ ଦାୟିତ୍ୱ ବଣ୍ଟନ ଏବଂ ଦଳର ନୂଆ ଟିମ୍ ଗଠନ ଉପରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, ବର୍ତ୍ତମାନର କେନ୍ଦ୍ରୀୟ ନିର୍ବାଚନ ସମିତିର ଏହା ଶେଷ ବୈଠକ ହୋଇପାରେ ଏବଂ ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ ଟିମ୍ ଘୋଷଣା କରାଯାଇପାରେ।

