୧୫ ବର୍ଷରେ ଆଇପିଏଲ୍ରେ ଇତିହାସ, ଟିମ୍ ଇଣ୍ଡିଆ ଦ୍ୱାରରେ ବୈଭବ ସୂର୍ଯ୍ୟବଂଶୀ
ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଆଇପିଏଲ୍ରେ ତାଙ୍କ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି। ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଏହି ଯୁବ ଓପନର ଚଳିତ ସିଜନରେ ୧୬ଟି ମ୍ୟାଚ୍ରେ ୭୭୬ ରନ୍ ସଂଗ୍ରହ କରିଥିବା ବେଳେ ତାଙ୍କ ଷ୍ଟ୍ରାଇକ୍ ରେଟ୍ ୨୩୭.୩୦ ରହିଛି। ସେହିପରି ୭୨ଟି ଛକା ମାରି ନୂଆ କୀର୍ତ୍ତିମାନ ସ୍ଥାପନ କରିବା ସହ ସବୁଠୁ କମ୍ ବୟସରେ ଅରେଞ୍ଜ କ୍ୟାପ୍ ଜିତିବାର ଗୌରବ ହାସଲ କରିଛନ୍ତି।
ସୂର୍ଯ୍ୟବଂଶୀଙ୍କ ଏହି ଅସାଧାରଣ ପ୍ରଦର୍ଶନ ପରେ ତାଙ୍କୁ ଶୀଘ୍ର ଟିମ୍ ଇଣ୍ଡିଆରେ ସାମିଲ କରିବାକୁ ଦାବି ଜୋର ଧରିଛି। ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍କେ ପ୍ରସାଦ କହିଛନ୍ତି ଯେ, ବୈଭବ କେବଳ ଭାରତ ନୁହେଁ ବିଶ୍ୱ କ୍ରିକେଟର ଅନ୍ୟତମ ଶ୍ରେଷ୍ଠ ଯୁବ ପ୍ରତିଭା। ତାଙ୍କୁ ଇଣ୍ଡିଆ-ଏ ଦଳ ପରେ ସିଧାସଳଖ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳରେ ସୁଯୋଗ ମିଳିବା ଉଚିତ୍ ବୋଲି ସେ ମତ ଦେଇଛନ୍ତି।
ତେବେ ପ୍ରସାଦଙ୍କ ମତରେ, ବୈଭବଙ୍କୁ କେବଳ ଟି-୨୦ ନୁହେଁ, ଭବିଷ୍ୟତରେ ଦିନିକିଆ ଓ ଲମ୍ବା ଫର୍ମାଟ୍ରେ ମଧ୍ୟ ପ୍ରସ୍ତୁତ କରାଯିବା ଦରକାର। ସେ କହିଛନ୍ତି, ଯୁବ ବ୍ୟାଟରଙ୍କ ପାଖରେ ଖେଳକୁ ବୁଝିବାର ଦକ୍ଷତା ରହିଛି ଏବଂ ସେ ବଡ଼ ମଞ୍ଚରେ ନିଜକୁ ପ୍ରମାଣ କରିସାରିଛନ୍ତି। ଭିଭିଏସ୍ ଲକ୍ଷ୍ମଣ କିମ୍ବା ରାହୁଲ ଦ୍ରାବିଡଙ୍କ ଭଳି ଅଭିଜ୍ଞଙ୍କ ମାର୍ଗଦର୍ଶନରେ ରହିଲେ ବୈଭବ ଭାରତୀୟ କ୍ରିକେଟର ଦୀର୍ଘକାଳୀନ ତାରକା ହୋଇପାରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

