ଭାରତକୁ ଟ୍ରମ୍ପଙ୍କ ବଡ଼ ଝଟକା! ବାଧ୍ୟତାମୂଳକ ଶ୍ରମ ଅଭିଯୋଗରେ ୧୨.୫% ନୂଆ ଶୁଳ୍କ ପ୍ରସ୍ତାବ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଭାରତ ସମେତ ୬୦ରୁ ଅଧିକ ବାଣିଜ୍ୟିକ ଭାଗୀଦାର ଦେଶ ଉପରେ ନୂଆ ଆମଦାନୀ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି। ଆମେରିକାର ବାଣିଜ୍ୟ ପ୍ରତିନିଧି କାର୍ଯ୍ୟାଳୟ (USTR) ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟରେ କୁହାଯାଇଛି ଯେ, ବାଧ୍ୟତାମୂଳକ ଶ୍ରମ (Forced Labour) ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ବିଭିନ୍ନ ଦେଶ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କରାଯାଇପାରେ।
ପ୍ରସ୍ତାବ ଅନୁଯାୟୀ, ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ ଏବଂ ସ୍ୱିଜରଲ୍ୟାଣ୍ଡ ଭଳି ଦେଶଗୁଡ଼ିକ ଉପରେ ୧୨.୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରାଯିବାର ପ୍ରସ୍ତାବ ରହିଛି। ସେହିପରି କାନାଡା, ମେକ୍ସିକୋ, ତାଇୱାନ ଓ ବ୍ରିଟେନ ଉପରେ ୧୦ ପ୍ରତିଶତ ଶୁଳ୍କ ଲଗାଯିବାକୁ ସୁପାରିଶ କରାଯାଇଛି। ଆମେରିକା କହିଛି ଯେ, ଏହି ଦେଶଗୁଡ଼ିକ ବାଧ୍ୟତାମୂଳକ ଶ୍ରମ ସମ୍ପର୍କିତ ଆମଦାନୀ ନିଷେଧାଦେଶକୁ ଯଥେଷ୍ଟ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିପାରି ନାହାନ୍ତି।
ଏହି ଘୋଷଣା ଏମିତି ସମୟରେ ଆସିଛି ଯେତେବେଳେ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ଆଲୋଚନା ଚାଲିଛି ଏବଂ ଆମେରିକୀୟ ବାଣିଜ୍ୟ ଦଳ ନୂଆଦିଲ୍ଲୀରେ ଉପସ୍ଥିତ ଅଛନ୍ତି। ଟ୍ରମ୍ପ ପ୍ରଶାସନର ଏହି ପଦକ୍ଷେପ ଭାରତ-ଆମେରିକା ବାଣିଜ୍ୟ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଭାରତ ସରକାରଙ୍କ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

