ଆମେରିକା-ଇରାନ ଯୁଦ୍ଧ ଚିନ୍ତା ମଧ୍ୟରେ ରେପୋ ରେଟ୍ ୫.୨୫%ରେ ଅପରିବର୍ତ୍ତିତ ରଖିଲା RBI
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଶୁକ୍ରବାର ରେପୋ ରେଟ୍କୁ ୫.୨୫ ପ୍ରତିଶତରେ ଅପରିବର୍ତ୍ତିତ ରଖିଛି। ଦୁଇ ଦିନ ଧରି ଚାଲିଥିବା ମନିଟାରି ପଲିସି କମିଟି (MPC) ବୈଠକ ପରେ ଏହି ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଛି। ଗତ ଡିସେମ୍ବର ୨୦୨୫ରେ RBI ୨୫ ବେସିସ୍ ପଏଣ୍ଟ ରେପୋ ରେଟ୍ କମାଇଥିବା ବେଳେ, ତା’ପରଠାରୁ ଏହାକୁ ସ୍ଥିର ରଖାଯାଇଛି।
RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି ଯେ ଆମେରିକା-ଇରାନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭାରତୀୟ ଅର୍ଥନୀତି ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ସକ୍ଷମ। ତେବେ ବିଶ୍ୱ ଅର୍ଥନୀତିର ଭବିଷ୍ୟତ ଏବେ ମଧ୍ୟ ଅନିଶ୍ଚିତ ରହିଥିବା ସେ ସ୍ୱୀକାର କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ଦୁର୍ବଳ ମୌସୁମୀ ବର୍ଷା ଦେଶର ଆର୍ଥିକ ଅଭିବୃଦ୍ଧି ଓ ମୁଦ୍ରାସ୍ଫୀତି ଉପରେ ପ୍ରଭାବ ପକାଇପାରେ। ହେଲେ ଖାଦ୍ୟଶସ୍ୟର ପର୍ଯ୍ୟାପ୍ତ ମଜୁତ ଥିବାରୁ ଚିନ୍ତାର କୌଣସି ବଡ଼ କାରଣ ନାହିଁ ବୋଲି ସେ କହିଛନ୍ତି। RBIର ଏହି ନିଷ୍ପତ୍ତିକୁ ବଜାର ପୂର୍ବରୁ ଆକଳନ କରିଥିଲା।

