‘ପେଡ୍ଡି’ ପ୍ରଥମ ଦିନରେ ୧୩୫ କୋଟି ଟଙ୍କାର ଧମାକା
ରାମ ଚରଣ ଓ ଜାହ୍ନବୀ କପୁର ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପେଡ୍ଡି’ ବକ୍ସ ଅଫିସରେ ଧମାକେଦାର ଆରମ୍ଭ କରିଛି। ଫିଲ୍ମର ନିର୍ମାତାମାନେ ଦାବି କରିଛନ୍ତି ଯେ ପ୍ରଥମ ଦିନରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୧୩୫.୩୬ କୋଟି ଟଙ୍କାର ଗ୍ରସ୍ କଲେକ୍ସନ କରିଛି। ବୁଚ୍ଚି ବାବୁ ସାନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳୁଥିବା ବେଳେ ରାମ ଚରଣଙ୍କ ପତ୍ନୀ ଉପାସନା ମଧ୍ୟ ଫିଲ୍ମର ସଫଳତାକୁ ନେଇ ଖୁସି ପ୍ରକାଶ କରିଛନ୍ତି।
ଟ୍ରେଡ୍ ଟ୍ରାକର ସ୍ୟାକ୍ନିଲ୍କ ଅନୁଯାୟୀ, ଫିଲ୍ମଟି ଗୁରୁବାର ଭାରତରେ ୫୧ କୋଟି ଟଙ୍କା ନେଟ୍ କଲେକ୍ସନ କରିଥିଲା। ଏହା ପୂର୍ବରୁ ବୁଧବାର ସନ୍ଧ୍ୟାର ପ୍ରିମିୟର ଶୋ’ରୁ ୧୮.୫୦ କୋଟି ଟଙ୍କା ନେଟ୍ ଆଦାୟ ହୋଇଥିଲା। ଏହି ଦୁଇ ଦିନର ଆୟକୁ ମିଶାଇଲେ ଭାରତରେ ଫିଲ୍ମର ମୋଟ ନେଟ୍ କଲେକ୍ସନ ୬୯.୫୦ କୋଟି ଏବଂ ଗ୍ରସ୍ କଲେକ୍ସନ ୮୨.୪୯ କୋଟି ଟଙ୍କାରେ ପହଞ୍ଚିଛି। ବିଶେଷକରି ତେଲୁଗୁ ଭାଷାରେ ୬୮ ପ୍ରତିଶତ ଅକ୍ୟୁପେନ୍ସି ସହ ଫିଲ୍ମଟି ଜବରଦସ୍ତ ପ୍ରଦର୍ଶନ କରିଛି।
ରାମ ଚରଣଙ୍କ ପୂର୍ବ ଫିଲ୍ମ ‘ଗେମ୍ ଚେଞ୍ଜର’ ପ୍ରଥମ ଦିନରେ ୮୦.୦୯ କୋଟି ଟଙ୍କା ବିଶ୍ୱବ୍ୟାପୀ ଆୟ କରିଥିବା ବେଳେ ‘ପେଡ୍ଡି’ ସେହି ରେକର୍ଡକୁ ବହୁ ଦୂର ଅତିକ୍ରମ କରିଛି। ହିନ୍ଦୀ ବଜାରରେ ଫିଲ୍ମର ଆରମ୍ଭ ସାଧାରଣ ରହିଥିଲେ ମଧ୍ୟ, ସପ୍ତାହାନ୍ତରେ ଏହାର ଆୟ ଆହୁରି ବଢ଼ିପାରେ ବୋଲି ଟ୍ରେଡ୍ ବିଶ୍ଳେଷକମାନେ ଆଶା କରୁଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଯେ, ଆଗାମୀ ଦିନଗୁଡ଼ିକରେ ଫିଲ୍ମଟି ଏହି ଗତିକୁ ବଜାୟ ରଖିପାରୁଛି କି ନାହିଁ।

