ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ସିଜେପିର ୭ ଦିନିଆ ଅଲ୍ଟିମେଟମ୍, ଦେଶବ୍ୟାପୀ ଆନ୍ଦୋଳନ ଚେତାବନୀ
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତରମନ୍ତରରେ ଶନିବାର ହଜାର ହଜାର ଯୁବକ ଓ ଛାତ୍ରଛାତ୍ରୀଙ୍କ ସମାବେଶ ମଧ୍ୟରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପ୍ରଥମ ବଡ଼ ଆନ୍ଦୋଳନ କରିଛି। ସିଜେପି ସଂସ୍ଥାପକ ଅଭିଜିତ ଦୀପ୍କେ ଆମେରିକାରୁ ଦିଲ୍ଲୀ ପହଞ୍ଚି ସିଧାସଳଖ ଜନ୍ତରମନ୍ତରକୁ ଯାଇ ଆନ୍ଦୋଳନରେ ଯୋଗ ଦେଇଥିଲେ। ପ୍ରତିବାଦକାରୀମାନେ ନିଟ୍ ଓ ଅନ୍ୟାନ୍ୟ ପରୀକ୍ଷାରେ ହୋଇଥିବା ଅନିୟମିତତା ପ୍ରସଙ୍ଗ ଉଠାଇ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
ଆନ୍ଦୋଳନ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଜେପି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ୭ ଦିନର ଅଲ୍ଟିମେଟମ୍ ଦିଆଯାଇଛି। ଏହି ସମୟ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଦରୁ ହଟାଯାଉ କିମ୍ବା ସେ ସ୍ୱଇଚ୍ଛାରେ ଇସ୍ତଫା ଦିଅନ୍ତୁ, ନଚେତ୍ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରାଯିବ ବୋଲି ସଂଗଠନ ଚେତାବନୀ ଦେଇଛି। ଭାରୀ ପୁଲିସ ବ୍ୟବସ୍ଥା ସତ୍ତ୍ୱେ ଆନ୍ଦୋଳନରେ ବିପୁଳ ସଂଖ୍ୟାରେ ଯୁବକ, ଛାତ୍ର ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ।
ଅଭିଜିତ ଦୀପ୍କେ କହିଥିଲେ ଯେ ଯୁବପିଢ଼ି ଆଉ ଭୟରେ ବଞ୍ଚିବାକୁ ଚାହୁଁନାହାନ୍ତି ଏବଂ ସୋସିଆଲ ମିଡିଆର ପୋଷ୍ଟ ଡିଲିଟ୍ କରିଦେଲେ ମଧ୍ୟ ଆନ୍ଦୋଳନର ସ୍ୱରକୁ ଦମନ କରାଯାଇପାରିବ ନାହିଁ। ଏହି ପ୍ରତିବାଦରେ ପରିବେଶ କର୍ମୀ ସୋନମ ୱାଙ୍ଗଚୁକ୍, ସିପିଆଇ(ଏମଏଲ) ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ, ସିପିଆଇ ନେତ୍ରୀ ଆନି ରାଜା ଓ ବାମପନ୍ଥୀ ଛାତ୍ର-ଯୁବ ସଂଗଠନର ସଦସ୍ୟମାନେ ମଧ୍ୟ ସାମିଲ ହୋଇଥିଲେ।

