Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ; ତ୍ୱରାନ୍ୱିତ ହେବ ପୃଥକୀକରଣ ପ୍ରକ୍ରିୟା

ରାଜ୍ୟରେ ଥିବା କମ୍ପୋଜିଟ୍ ମହାବିଦ୍ୟାଳୟଗୁଡ଼ିକରୁ ଯୁକ୍ତ ଦୁଇ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୃଥକ କରିବା ପ୍ରକ୍ରିୟାକୁ ଉଚ୍ଚଶିକ୍ଷା ବିଭାଗ ପୁଣିଥରେ ତ୍ୱରାନ୍ୱିତ କରିଛି। ଏନେଇ ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଜାରି କରାଯାଇଛି। ସରକାରଙ୍କ ନଜରକୁ ଆସିଛି ଯେ ଅଧିକାଂଶ ଅନୁଷ୍ଠାନରେ ବିଭାଜନ ପ୍ରକ୍ରିୟା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।

ଏହି ପ୍ରକ୍ରିୟାର ତଦାରଖ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରାଯାଇଛି। କମିଟିରେ ସମ୍ପୃକ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ସଦସ୍ୟ ଭାବେ ରହିବେ। ଜମି କିମ୍ବା କୋଠାବାଡ଼ି ବିଭାଜନ ସମ୍ଭବ ନହେଲେ ୭୦:୩୦ ଅନୁପାତରେ ଶ୍ରେଣୀଗୃହ ବ୍ୟବହାର କରାଯିବ। ଏଥିସହ କ୍ୟାଣ୍ଟିନ୍, ଖେଳ ପଡ଼ିଆ, ଗ୍ରନ୍ଥାଗାର, ପ୍ରେକ୍ଷାଳୟ ଭଳି ସାଧାରଣ ସୁବିଧା ଉଭୟ ଅନୁଷ୍ଠାନ ମିଳିତ ଭାବେ ବ୍ୟବହାର କରିପାରିବେ।

ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆବଶ୍ୟକ ହେଲେ ନିକଟସ୍ଥ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରାଯିବ ଏବଂ ଯୁକ୍ତ ଦୁଇର କର୍ମଚାରୀଙ୍କୁ ସେଠାକୁ ସ୍ଥାନାନ୍ତର କରାଯିବ। ୨୦୧୬ରେ ଯୁକ୍ତ ଦୁଇ କଲେଜଗୁଡ଼ିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନକୁ ହସ୍ତାନ୍ତର କରାଯାଇଥିବା ବେଳେ, ଉଭୟ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜର ସୁଚାରୁ ପରିଚାଳନା ଏବଂ ଶୃଙ୍ଖଳିତ ଶିକ୍ଷା ପରିବେଶ ପାଇଁ ଭିତ୍ତିଭୂମି ପୃଥକ କରିବାକୁ ସରକାର ଗୁରୁତ୍ୱ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ