Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ରେଟ୍ ନିକୋବର ପ୍ରକଳ୍ପକୁ ନେଇ ରାହୁଲଙ୍କ ଆକ୍ରମଣ, ‘ପ୍ରତିରକ୍ଷା ନୁହେଁ, ଅଦାନୀଙ୍କୁ ଫାଇଦା ପାଇଁ ଯୋଜନା’

ବିଶ୍ୱ ପରିବେଶ ଦିବସ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗ୍ରେଟ୍ ନିକୋବର ମେଗା ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ଏହି ପ୍ରକଳ୍ପକୁ ପ୍ରତିରକ୍ଷା ଦୃଷ୍ଟିକୋଣରୁ ଆବଶ୍ୟକ ବୋଲି କୁହାଯାଉଥିବା ଦାବିକୁ ସେ ଖଣ୍ଡନ କରି କହିଛନ୍ତି ଯେ, ଏହା ପ୍ରକୃତରେ ଶିଳ୍ପପତି ଗୌତମ ଅଦାନୀଙ୍କୁ ଲାଭ ପହଞ୍ଚାଇବା ପାଇଁ କରାଯାଉଛି। ରାହୁଲ ଏହା ବିରୋଧରେ ଏକ ଅନଲାଇନ୍ ପିଟିସନ୍ ଆରମ୍ଭ କରି ଯୁବପିଢ଼ୀଙ୍କୁ “ଲୋଭ ନୁହେଁ, ସବୁଜ ପରିବେଶକୁ ବାଛନ୍ତୁ” ବୋଲି ଆହ୍ୱାନ ଦେଇଛନ୍ତି।

ଆଣ୍ଡାମାନ-ନିକୋବର ଗସ୍ତ ଆଧାରିତ ଏକ ଭିଡିଓ ଜାରି କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ପ୍ରସ୍ତାବିତ ଟ୍ରାନ୍ସସିପମେଣ୍ଟ ହବ୍‌, ବିମାନବନ୍ଦର ଓ ପର୍ଯ୍ୟଟନ ଟାଉନଶିପ୍ ପ୍ରକଳ୍ପ ଯୋଗୁଁ ବିପୁଳ ପରିମାଣର ବର୍ଷାବନ, ପ୍ରବାଳ ପ୍ରାଚୀର ଓ ପରିବେଶ ଧ୍ୱଂସ ହେବ। ସେ କହିଛନ୍ତି, ଯଦି ପ୍ରକୃତରେ ସାମରିକ ସ୍ୱାର୍ଥ ମୁଖ୍ୟ ଉଦ୍ଦେଶ୍ୟ ତେବେ ସରକାର ନୌସେନାର INS Baaz କେନ୍ଦ୍ରକୁ ବିସ୍ତାର କରିପାରନ୍ତି। ଏଥିପାଇଁ ଜଙ୍ଗଲ ଧ୍ୱଂସ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ରାହୁଲ ଗାନ୍ଧୀ ଆହୁରି ଅଭିଯୋଗ କରିଛନ୍ତି ଯେ, ପ୍ରକଳ୍ପ ନାଁରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ଜମି ଅଧିକାର କ୍ଷୁଣ୍ଣ କରାଯାଉଛି ଏବଂ ବସବାସକାରୀମାନେ ଉଚିତ କ୍ଷତିପୂରଣ ପାଉନାହାନ୍ତି। ଏପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ସରକାରଙ୍କ ପରିବେଶ ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ଗତ ୧୧ ବର୍ଷରେ ପ୍ରାୟ ୧.୯୨ ଲକ୍ଷ ହେକ୍ଟର ଜଙ୍ଗଲ ଜମି ବିଭିନ୍ନ ପ୍ରକଳ୍ପ ପାଇଁ ବ୍ୟବହୃତ ହୋଇଥିବା ବେଳେ ୧.୬ କୋଟିରୁ ଅଧିକ ଗଛ କଟାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ