Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲେ ଅଙ୍କୁଲି ଗ୍ରାମବାସୀ, ମୋରମ ରାସ୍ତା ପରିବର୍ତ୍ତେ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଦାବି

ଝାରସୁଗୁଡ଼ା,୮/୬ (ଓଡ଼ିଶା ନ୍ୟୁଜ୍) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଆୟୋଜିତ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ପଳସଦା ଗ୍ରାମ ପଞ୍ଚାୟତ ଅଧୀନ ଅଙ୍କୁଲି ଗ୍ରାମବାସୀ ରାସ୍ତା ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି।
ଦାବୀପତ୍ରରେ ଅଙ୍କୁଲି ଗ୍ରାମରୁ ନାଚେନମୁରା ପିଏମ୍‌ଜେଏସ୍‌ୱାଇ ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୯୮୦ ମିଟର ରାସ୍ତାକୁ ମୋରମ ଓ ମେଟାଲ ପରିବର୍ତ୍ତେ ସିସି (କଂକ୍ରିଟ) ରାସ୍ତା ଭାବେ ନିର୍ମାଣ କରିବାକୁ ଅନୁରୋଧ କରା ଯାଇଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ରାସ୍ତାର ଦୁରାବସ୍ଥା ସମ୍ପର୍କରେ ୨୫ ମାର୍ଚ୍ଚ ୨୦୨୩ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଦୃଷ୍ଟି ଆକର୍ଷିତ ହୋଇଥିଲା। ପରେ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର ହୋଇଛି। ତେବେ ଏହି ଅର୍ଥରେ ମୋରମ ଓ ମେଟାଲ ରାସ୍ତା ନିର୍ମାଣ ଯୋଜନା ଥିବା ଜଣାପଡ଼ିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସେମାନଙ୍କ ମତରେ, ମୋରମ ଓ ମେଟାଲ ରାସ୍ତା ବର୍ଷା ଋତୁରେ କାଦୁଅ ଏବଂ ପିଚ୍ଛଳ ହୋଇ ଯାତାୟାତ ପାଇଁ ଅନୁପଯୁକ୍ତ ହୋଇପଡ଼େ। ଫଳରେ ସାଧାରଣ ଲୋକଙ୍କ ସହ ସ୍କୁଲ ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଏବଂ ଗର୍ଭବତୀ ମହିଳା ମାନେ ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଜରୁରୀ ସମୟରେ ଆମ୍ବୁଲାନ୍ସ ମଧ୍ଯ ଗ୍ରାମକୁ ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ରୋଗୀଙ୍କ ଜୀବନ ମଧ୍ୟ ବିପଦରେ ପଡ଼ୁଥିବା ଅଭିଯୋଗ କରିଛନ୍ତି ।
ତେଣୁ ସରକାରୀ ଅର୍ଥର ସଠିକ ବ୍ୟବହାର ସହ ଦୀର୍ଘସ୍ଥାୟୀ ଏବଂ ସବୁ ଋତୁରେ ଯାତାୟାତ ଉପଯୋଗୀ ରାସ୍ତା ନିର୍ମାଣ ଦୃଷ୍ଟିରୁ ଉକ୍ତ ରାସ୍ତାକୁ କଂକ୍ରିଟ ରାସ୍ତାରେ ପରିଣତ କରିବାକୁ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଦାବି ଜଣାଇଛନ୍ତି। ସେମାନଙ୍କ ଦାବି ପ୍ରତି ପ୍ରଶାସନ ସକାରାତ୍ମକ ପଦକ୍ଷେପ ନେବ ବୋଲି ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories