Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ ପ୍ରତିନିଧି ଦଳ ଛତିଶଗଡ଼ ଗସ୍ତ , କେଲୋ ନଦୀରେ ବ୍ୟାରେଜ୍‌ ନିର୍ମାଣକୁ ନେଇ ଉଦବେଗ

ଝାରସୁଗୁଡା ୮/୬ (ଓଡ଼ିଶା ନ୍ୟୁଜ୍)’ଛତିଶଗଡ଼ ସରକାରଙ୍କ ଏକ ପାଖିଆ ନଦୀବନ୍ଧ ନୀତି ଯୋଗୁଁ ଏବେ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଜଳ ସଙ୍କଟ ସୃଷ୍ଟି କରିଛି। ସାନକେଲୋ ନଦୀ ଉପରେ ବ୍ୟାରେଜ୍‌ ନିର୍ମାଣ କରି ପାଣି ଅଟକାଇ ଦିଆ ଯାଇଥିବା ଅଭିଯୋଗକୁ ନେଇ ‘ମହାନଦୀ ବଞ୍ଚାଅ ଜୀବିକା ବଞ୍ଚାଅ ଅଭିଯାନ’ର ଏକ ପ୍ରତିନିଧି ଦଳ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି। ସେଠାରେ ନିର୍ମିତ ବ୍ୟାରେଜ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରତିନିଧି ଦଳ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ଛତିଶଗଡ଼ର ବେଲେରିଆ ନିକଟରେ ସାନକେଲୋ ନଦୀ ଉପରେ ୫ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟରେ ଏହି ବ୍ୟାରେଜ୍‌ ନିର୍ମାଣ କରା ଯାଇଛି । ଉକ୍ତ ପ୍ରକଳ୍ପରେ ରହିଥିବା ୮ ଟି ଗେଟ୍‌ ଗୁଡ଼ିକ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଓଡ଼ିଶା ପଟକୁ ପାଣି ଆସିବା ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି। ଫଳରେ ଲଖନପୁର ବ୍ଲକର ଅତାବିରା ଓ ଭିଖମପାଲି ପଞ୍ଚାୟତର ୬ଟି ଗ୍ରାମର ଲୋକେ, ଯେଉଁ ମାନେ ଏହି ନଦୀ ଉପରେ ନିର୍ଭରଶୀଳ, ସେମାନେ ଏବେ ଉତ୍କଟ ଜଳ ଅଭାବର ସମ୍ମୁଖୀନ ହେଉଛନ୍ତି ।
ଏହି ପ୍ରସଙ୍ଗକୁ ନେଇ ଆଜି ଭାରତୀୟ କିଷାନ ସଙ୍ଗଠନର ରାଷ୍ଟ୍ରୀୟ ସଭାପତି ବ୍ରଜ କିଶୋର ତ୍ରିପାଠୀ ଓ ରାଜ୍ୟ ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଝାରସୁଗୁଡ଼ା ଗାନ୍ଧୀ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଛତିଶଗଡ଼ ଯାତ୍ରା କରିଥିଲେ। ଏହି ପ୍ରତିନିଧି ମଣ୍ଡଳୀରେ ଅନନ୍ତ ଚରଣ ପଣ୍ଡା, ବାସୁଦେବ ସାହୁଙ୍କ ସମେତ ଛତିଶଗଡ଼ ଅଞ୍ଚଳର ଇନ୍ଦ୍ର ବିଳାସ ପଣ୍ଡା, ରକ୍ଷପାଲ ପ୍ରଧାନ,ମନୋଜ ପ୍ରଧାନ ଓ ଦିନେଶ ସା ପ୍ରମୁଖ ସାମିଲ ଥିଲେ।
ପ୍ରତିନିଧି ଦଳ ପ୍ରଥମେ ଛତିଶଗଡ଼ ବେଲେରିଆ ସ୍ଥିତ କେଲୋ ବ୍ୟାରେଜ୍‌ ଏବଂ ପରେ ସାଲେଅନାରେ ସପନେଇ ନାଳରେ ନିର୍ମିତ ବ୍ୟାରେଜ୍‌କୁ ଯାଇ ସ୍ଥିତି ପରଖି ଥିଲେ। ଏହାସହ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡ଼ିକୁ ଯାଇ ଚାଷୀ ଓ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଛନ୍ତି। କେବଳ କେଲୋନଦୀ ନୁହେଁ, ମହାନଦୀ ଓ ଇବ୍‌ ନଦୀରେ ମଧ୍ୟ ବ୍ୟାରେଜ୍‌ କରି ଛତିଶଗଡ଼ ସରକାର ପାଣି ଅଟକାଉ ଥିବାରୁ ଓଡ଼ିଶାର ଜଳ ପ୍ରବାହ ଗୁରୁତର ଭାବେ ପ୍ରଭାବିତ ହେଉଛି। ଉଭୟ ରାଜ୍ୟ ସରକାର ରାଜନୀତି ନ କରି, ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରି ଓଡ଼ିଶାକୁ ଯଥାଯଥ ପାଣି ଛାଡ଼ିବା ନେଇ ପଦକ୍ଷେପ ନେବାକୁ ଦଳ ପକ୍ଷରୁ ଦାବି କରା ଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories