ଟ୍ରମ୍ପଙ୍କ ୧ ଲକ୍ଷ ଡଲାର H-1B ଭିସା ଫି ନିୟମକୁ ଝଟକା, ଆଦାଲତ କହିଲେ- ‘ବେଆଇନ’
ଆମେରିକାରେ ବିଦେଶୀ ଦକ୍ଷ କର୍ମୀଙ୍କ ପାଇଁ H-1B ଭିସା ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲାଗୁ କରିଥିବା ୧ ଲକ୍ଷ ଡଲାର ଫିକୁ ଫେଡେରାଲ୍ କୋର୍ଟ ବେଆଇନ ବୋଲି ଘୋଷଣା କରିଛନ୍ତି। ବୋଷ୍ଟନର ଆମେରିକୀୟ ଜିଲ୍ଲା ଜଜ୍ ଲିଓ ସୋରୋକିନ କହିଛନ୍ତି ଯେ, କଂଗ୍ରେସର ଅନୁମୋଦନ ବିନା ଏଭଳି ଫି ଲାଗୁ କରିବା ଏକ ପ୍ରକାର କର ଆଦାୟ ସହ ସମାନ ଏବଂ ରାଷ୍ଟ୍ରପତିଙ୍କ ପାଖରେ ଏପରି କ୍ଷମତା ନାହିଁ। ଫଳରେ ଟ୍ରମ୍ପ ପ୍ରଶାସନର ଏହି ନୀତିକୁ ଆଦାଲତ ସମ୍ପୂର୍ଣ୍ଣ ଭାବେ ରଦ୍ଦ କରିଦେଇଛନ୍ତି।
ଗତ ସେପ୍ଟେମ୍ବରରେ ଟ୍ରମ୍ପ ପ୍ରଶାସନ ନୂଆ H-1B ଭିସା ଆବେଦନ ପାଇଁ ଫିକୁ ବୃଦ୍ଧି କରି ୧ ଲକ୍ଷ ଡଲାର କରିଥିଲା। ଏହାକୁ ବିରୋଧ କରି ୨୦ଟି ଡେମୋକ୍ରାଟ୍ ଶାସିତ ରାଜ୍ୟର ଆଟର୍ଣ୍ଣି ଜେନେରାଲମାନେ ମାମଲା ଦାଖଲ କରିଥିଲେ। H-1B ଭିସା କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତିବର୍ଷ ୬୫ ହଜାର ସାଧାରଣ ଏବଂ ୨୦ ହଜାର ଉଚ୍ଚ ଶିକ୍ଷାପ୍ରାପ୍ତ କର୍ମୀଙ୍କୁ ଭିସା ଦିଆଯାଏ। ପୂର୍ବରୁ ନିଯୁକ୍ତିଦାତାମାନେ ଭିସା ପାଇଁ ପ୍ରାୟ ୨ ହଜାରରୁ ୫ ହଜାର ଡଲାର ପର୍ଯ୍ୟନ୍ତ ଦେଉଥିଲେ।
ଫିକୁ ହଠାତ୍ ୧ ଲକ୍ଷ ଡଲାର କରାଯିବା ପରେ H-1B ଭିସା ଆବେଦନ ସଂଖ୍ୟା ଲକ୍ଷଣୀୟ ଭାବେ କମିଯାଇଥିଲା। USCIS ତଥ୍ୟ ଅନୁଯାୟୀ, ୨୦୨୭ ଆର୍ଥିକ ବର୍ଷ ପାଇଁ H-1B ପଞ୍ଜିକରଣ ସଂଖ୍ୟା ୩୮.୫ ପ୍ରତିଶତ ହ୍ରାସ ପାଇଥିଲା। ଆଦାଲତ ସ୍ପଷ୍ଟ କରିଛନ୍ତି ଯେ, କଂଗ୍ରେସ ଅନୁମତି ନ ଦେଇଥିଲେ ରାଷ୍ଟ୍ରପତି କୌଣସି ନୂଆ କର କିମ୍ବା ଶୁଳ୍କ ଲାଗୁ କରିପାରିବେ ନାହିଁ। ଏହି ରାୟ ଭାରତ ସମେତ ହଜାର ହଜାର ବିଦେଶୀ ପେଶାଦାରଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି।

