Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଟ୍ରୋଲ୍ କରୁଛନ୍ତି ବିଜେପି ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟ: ଗବେଷକ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ସଂପ୍ରତି ଖୁବ୍ ଟ୍ରୋଲ କରାଯାଉଛି। ସିଜେଆଇ ଚନ୍ଦ୍ରଚୂଡଙ୍କୁ ଦେଶ ଭିତରର ଶତ୍ରୁ, ଫରେନ ଏଜେଣ୍ଟ ଏବଂ ଗଣତନ୍ତ୍ର ପାଇଁ ବିପଦ ବୋଲି ଦର୍ଶାଯାଇଛି। ଆଉ ଏହି ଟ୍ରୋଲ କରିବା ପଛରେ ଭାରତୀୟ ଜନତା ପାର୍ଟି ସମର୍ଥିତ ଡିଜିଟାଲ୍ ଇନଫ୍ଲୁଏନ୍ସର ହାତ ଥିବା ଏକ ଅଧ୍ୟୟନରୁ ଜଣା ପଡିଛି।

ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ଦେଉଥିବା ରାୟ ଦେଶ ପାଇଁ ବିପଦ ବୋଲି ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରାଯାଉଛି। ଏହା କହିଛନ୍ତି ମିଶିଗନ ସ୍କୁଲ ଅଫ ଇନଫରମେସନର ସହାୟକ ପ୍ରଫେସର ଜୋୟଜିତ ପାଲ୍। ଏହି ସଂସ୍ଥାର ଅନ୍ୟ ଏକ ଗବେଷକ ସାୟରିଲ ଅଗ୍ରଓ୍ଵାଲଙ୍କ ସହିତ ସେ ଏହି ରିସର୍ଚ୍ଚ କରିଛନ୍ତି, ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସିଜେଆଇ ଚନ୍ଦ୍ରଚୂଡଙ୍କୁ କେଉଁଭଳି ଭାବେ ବିଜେପି ସମର୍ଥିତ କିଛି ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଟାର୍ଗେଟ୍ କରୁଛନ୍ତି।

ପାଲ୍ କହିଛନ୍ତି, ସମାଲୋଚକଙ୍କ ଦାବି ଏହା ଯେ, ଚନ୍ଦ୍ରଚୂଡ ବିଶ୍ଵ ଏବଂ ପାଶ୍ଚାତ୍ୟ ସଭ୍ୟତାରୁ ପ୍ରେରିତ। ଉଦାର ବିଚାରଧାରାରୁ ପ୍ରେରିତ। ହାଭାର୍ଡ ପରି ସଂସ୍ଥାରୁ ଆଇନରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିବା ଚନ୍ଦ୍ରଚୂଡ ଭାରତୀୟ ରାଜନୀତିରେ ଜଣେ ମାଷ୍ଟର ବୋଲି ତାଙ୍କର ନିନ୍ଦୁକମାନେ କହିଛନ୍ତି।

ସେ ଏହା ମଧ୍ୟ କହିଛନ୍ତି, ଲିଙ୍ଗଗତ ଭେଦଭାବ ଏବଂ ସମଲିଙ୍ଗୀ ସଂପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ଆଭିମୁଖ୍ୟକୁ ବିଜେପି ସମର୍ଥିକ ସୋସିଆଲ ମିଡିଆ ଖୁବ ନିନ୍ଦା କରିଛନ୍ତି। ଭାରତର ବାସ୍ତବିକତା ଏବଂ ପରମ୍ପରାକୁ ସିଜେଆଇ ଚନ୍ଦ୍ରଚୂଡ ମଳିନ କରୁଛନ୍ତି। ସିଜେଆଇଙ୍କ ଉପରେ ନେପୋଟିଜିମର ଅଭିଯୋଗ ମଧ୍ୟ ଲଗାଯାଇଛି। ସୁପ୍ରିମକୋର୍ଟ ଉପରେ ବର୍ତ୍ତମାନ ଲଗାମ ଲଗାଯିବାର ସମୟ ଆସି ଯାଇଛି ବୋଲି ବିଜେପି ସମର୍ଥିତ ସୋସିଆଲ ମିଡିଆ ଦାବି କରିଛନ୍ତି।

ସୁପ୍ରିମକୋର୍ଟରେ ସମ୍ବେଦନଶୀଳ ଏବଂ ବଡ଼ ବଡ଼ ମାମଲାର ଶୁଣାଣି ସମୟରେ ହିଁ ସିଜେଆଇଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ କରାଯାଇଛି। ବିଶେଷ କରି ଗତ ଦିନେ ଏବଂ ଦୁଇ ଦିନ ଭିତରେ ଟ୍ରୋଲ୍ ଚରମରେ ପହଞ୍ଚି ଯାଇଛି। ଗବେଷକ ଦାବି କରିଛନ୍ତି ଯେ, ଚନ୍ଦ୍ରଚୂଡଙ୍କୁ ହିନ୍ଦୁ ବିରୋଧୀ ଭାବେ ଟ୍ରୋଲର୍ସ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି। ସୁପ୍ରିମକୋର୍ଟର କିଛି ରାୟ ହିନ୍ଦୁ ମୂଲ୍ୟବୋଧର ବିପରୀତ ଥିବା କିମ୍ବା ସେମାନଙ୍କ ପସନ୍ଦର ରାୟ ନଆସିବାରୁ ସିଜେଆଇ ଚନ୍ଦ୍ରଚୂଡଙ୍କୁ ଖୁବ୍ ଟ୍ରୋଲ୍ କରାଯାଉଛି। ସାମାଜିକ ଗଣମାଧ୍ୟମରେ ଏହା କୁହାଯାଇଛି ଯେ, ସଂଖ୍ୟାଲଘୁ ମାମଲାରେ ସିଜେଆଇ ଚନ୍ଦ୍ରଚୂଡ ନରମ ଆଭିମୁଖ୍ୟ ପୋଷଣ କରୁଥିବା ବେଳେ ହିନ୍ଦୁ ସଂପର୍କିତ ମାମଲାରେ କଠୋର ହେଉଛନ୍ତି।

ବଂଶବାଦ ରାଜନୀତିକୁ ନେଇ ବିରୋଧୀଙ୍କୁ ସର୍ବଦା ବିଜେପି ଟାର୍ଗେଟ୍ କରି ଆସିଛି। ତେଣୁ ବିଜେପି ସମର୍ଥିତ ଏହି ସୋସିଆଲ ମିଡିଆ ଇନଫ୍ଲୁଏନସର ଚନ୍ଦ୍ରଚୂଡଙ୍କୁ ବଦନାମ କରିବା ପାଇଁ ତାଙ୍କ ପିତା ଓ୍ଵାଇଭି ଚନ୍ଦ୍ରଚୂଡଙ୍କ ବିଷୟରେ ଏଣୁ ତେଣୁ କହୁଥିବା ଗବେଷକ ଦାବି କରିଛନ୍ତି। ସୁପ୍ରିମକୋର୍ଟରେ ମଧ୍ୟ ବଂଶବାଦ ଚାଲିଛି ବୋଲି ଟ୍ରୋଲର୍ସମାନେ କହୁଛନ୍ତି। ଏଥିପାଇଁ କିଛି ଉଦାହରଣ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ସୌରଭ କ୍ରିପାଲଙ୍କୁ ଉଦାହରଣ ଭାବେ ଟ୍ରୋଲର୍ସ ଉପସ୍ଥାପନ କରିଛନ୍ତି। ସୌରଭ ହେଉଛନ୍ତି ବିଏନ କ୍ରିପାଲଙ୍କ ପୁଅ, ଯିଏ ଉଚ୍ଚନ୍ୟାୟାଳୟର ବିଚାରପତି ରହିଥିଲେ। ଏମିତି କିଛି ପ୍ରସଙ୍ଗ ଯେଉଁଥିରେ ସିଜେଆଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଛନ୍ତି ଏବଂ ତାଗିଦ୍ କରିଛନ୍ତି, ତାକୁ ନେଇ ବିଜେପି ସମର୍ଥିତ ସୋସିଆଲ ମିଡିଆ ଆକାଉଣ୍ଟ ସିଜେଆଇଙ୍କୁ ଟାର୍ଗେଟ୍ କରୁଥିବା ଗବେଷକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ