ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଓଏଏସ୍ ଅଧିକାରୀଙ୍କ ପାଇଁ ବଢ଼ିଲା ଅଡୁଆ, ଫେରାର ପ୍ରେମିକଙ୍କୁ ଖୋଜୁଛି ପୁଲିସ
ଭୁବନେଶ୍ୱର: କାଠଯୋଡ଼ି ନଦୀରୁ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ଭଞ୍ଜବାଳା ହେମ୍ବ୍ରମଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼ ଆସିଛି। ଏହି ମାମଲାରେ ଅଭିଯୁକ୍ତ ଭାବେ ଚିହ୍ନଟ ହୋଇଥିବା ଓଏଏସ୍ ଅଧିକାରୀ ଭୀମସେନ ପ୍ରସାଦ ଟୁଡ଼ୁଙ୍କ ପାଇଁ ଆଇନଗତ ଅଡୁଆ ବଢ଼ିଛି। ମୃତକାଙ୍କ ପରିବାର ପକ୍ଷରୁ ସିଧାସଳଖ ଅଭିଯୋଗ ଆଣାଯାଇଥିବା ବେଳେ ପୁଲିସ ଏବେ ତାଙ୍କୁ ଖୋଜିବାରେ ଲାଗିଛି।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଅଧିକାରୀଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ରହିଛି ଏବଂ ସେ ଫେରାର ଥିବା କୁହାଯାଉଛି। ବାରଙ୍ଗ ଥାନା ପୁଲିସ ତାଙ୍କ ପରିବାରର ସଦସ୍ୟମାନଙ୍କୁ ଜେରା କରିଛି। ବାପା, ମାଆ, ଭାଇ, ଭଉଣୀ ଓ ଭିଣୋଇଙ୍କୁ ପଚରାଉଚରା ପରେ ଛାଡ଼ି ଦିଆଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଥାନାରେ ହାଜର କରିବାକୁ ପରିବାରକୁ କୁହାଯାଇଛି। ପୁଲିସ ତାଙ୍କ ବିରୋଧରେ ସଙ୍ଗୀନ ଦଫା ଲଗାଇଥିବାରୁ ଆଇନ ଫାଶରୁ ଖସିବା ତାଙ୍କ ପାଇଁ କଷ୍ଟକର ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ, ଚନ୍ଦ୍ରିକାଙ୍କ ବ୍ୟବଚ୍ଛେଦ ରିପୋର୍ଟ ବାରଙ୍ଗ ପୁଲିସ ହସ୍ତଗତ କରିଛି। ଏସ୍ସିବି ମେଡିକାଲ୍ର ଏଫ୍ଏମ୍ଟି ବିଭାଗ ପକ୍ଷରୁ ପ୍ରସ୍ତୁତ ରିପୋର୍ଟରେ ପାଣିରେ ବୁଡ଼ି ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। ପ୍ରାଥମିକ ଭାବେ ହତ୍ୟାକାଣ୍ଡର କୌଣସି ସ୍ପଷ୍ଟ ପ୍ରମାଣ ମିଳିନଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତଥାପି ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି।
ଉଲ୍ଲେଖଯୋଗ୍ୟ, ଗତ ୪ ତାରିଖ ସକାଳେ ନେତାଜୀ ସୁଭାଷ ସେତୁ ତଳୁ ଚନ୍ଦ୍ରିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୟୂରଭଞ୍ଜ ଜିଲ୍ଲାର ବାସିନ୍ଦା ଚନ୍ଦ୍ରିକା ବାଲେଶ୍ୱର ମେଡିକାଲ୍ କଲେଜରେ ଏମ୍ବିବିଏସ୍ ଅଧ୍ୟୟନ କରୁଥିଲେ। ମୃତଦେହ ମିଳିବା ପରେ ତାଙ୍କ ମା’ ହୀରାମଣି ହାଁସଦା ବାରଙ୍ଗ ଥାନାରେ ଏତଲା ଦେଇଥିଲେ। ମାମଲାକୁ ନେଇ ପୁଲିସ ତଦନ୍ତ ଜୋରଦାର କରିଥିବା ବେଳେ ଫେରାର ଅଭିଯୁକ୍ତଙ୍କ ଖୋଜାଖୋଜି ଜାରି ରହିଛି।

