ଓମାନ ଉପକୂଳରେ ଜାହାଜ ଉପରେ ଆମେରିକାର ଆକ୍ରମଣ: ୩ ଭାରତୀୟ ନାବିକଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଏକ ତୈଳବାହୀ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ ହୋଇଛି। ପ୍ରଥମେ ନିଖୋଜ ଥିବା ଏହି ତିନିଜଣଙ୍କ ମୃତଦେହ ପରେ ଉଦ୍ଧାର କରାଯାଇଥିବା ବେଳେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏହାକୁ ଏକ ଦୁଃଖଦ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି।
ପାଲାଉ ପତାକା ବହନ କରୁଥିବା ତୈଳବାହୀ ଜାହାଜ ‘ଏମ୍ଟି ସେଟ୍ଟେବେଲୋ’ରେ ମୋଟ ୨୮ ଜଣ କ୍ରୁ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ୨୪ ଜଣ ଭାରତୀୟ ଥିବାବେଳେ ଅନ୍ୟମାନେ ପାକିସ୍ତାନ, ରୁଷ ଏବଂ ୟୁକ୍ରେନର ନାଗରିକ ଥିଲେ। ଆମେରିକା ପକ୍ଷରୁ ଜାହାଜଟି ଇରାନୀ ତୈଳ ପରିବହନ କରୁଥିବା ଏବଂ ନିର୍ଦ୍ଦେଶ ମାନୁନଥିବା ଅଭିଯୋଗ କରାଯାଇଥିଲା। ଏହାପରେ ଜାହାଜ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ମିଳିଛି।
ଆକ୍ରମଣ ପରେ ୨୧ ଜଣ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। କିନ୍ତୁ ଡେକ୍ କ୍ୟାଡେଟ୍ ଆଦିତ୍ୟ ଶର୍ମା, ଇଞ୍ଜିନ୍ ଫିଟର୍ ଶିବାନନ୍ଦ ଚୌରାସିଆ ଏବଂ ଚିଫ୍ ଇଞ୍ଜିନିୟର୍ ପଟନାଲା ସୁରେଶ ନିଖୋଜ ଥିଲେ। ପରେ ସେମାନଙ୍କ ମୃତଦେହ ଚିହ୍ନଟ ହେବା ପରେ ଘଟଣା ନେଇ ଶୋକର ଛାୟା ଖେଳିଯାଇଛି।
ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି କେନ୍ଦ୍ରମନ୍ତ୍ରୀ ସୋନୋୱାଲ କହିଛନ୍ତି ଯେ, “ଏମ୍ଟି ସେଟ୍ଟେବେଲୋ ଜାହାଜରେ ଘଟିଥିବା ଏହି ଦୁଃଖଦ ଘଟଣା ବିଷୟରେ ଜାଣି ମର୍ମାହତ। ନିଖୋଜ ଥିବା ୩ ଭାରତୀୟ ନାବିକଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି।” ଘଟଣାକୁ ନେଇ ଭାରତ ସରକାର ସମଗ୍ର ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡ଼ିଛି।

