ଗ୍ରାହକ ବେଶରେ ଆସି ଅଳଙ୍କାର ଦୋକାନରୁ ୧୮ଟି ସୁନା ମୁଦି ଝାମ୍ପିନେଲା ଦୁର୍ବୃତ୍ତ, ୨୪ ଘଣ୍ଟାରେ ଅଭିଯୁକ୍ତ ଗିରଫ
କଟକ ସହରର ଏକ ଅଳଙ୍କାର ଦୋକାନରୁ ଗ୍ରାହକ ବେଶରେ ଆସି ଜଣେ ଦୁର୍ବୃତ୍ତ ୧୮ଟି ସୁନା ମୁଦି ଥିବା ଏକ ବାକ୍ସ ଝାମ୍ପି ନେଇଥିବା ଘଟଣାର ମାତ୍ର ୨୪ ଘଣ୍ଟା ମଧ୍ୟରେ ପୁଲିସ ସଫଳତାର ସହ ପର୍ଦ୍ଦାଫାସ କରିଛି। ଲାଲବାଗ ଥାନା ପୁଲିସ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ଏହି ଘଟଣା ସିଡିଏ ସେକ୍ଟର-୬ ଅଞ୍ଚଳରେ ଥିବା ବିଶ୍ୱନାଥ କର୍ମକାରଙ୍କ ଅଳଙ୍କାର ଦୋକାନରେ ଘଟିଥିଲା।
ଅଭିଯୋଗ ଅନୁସାରେ, ଗୁରୁବାର ରାତି ପ୍ରାୟ ୮ଟା ସମୟରେ ଜଣେ ଅଜଣା ବ୍ୟକ୍ତି ନିଜକୁ ଗ୍ରାହକ ବୋଲି ପରିଚୟ ଦେଇ ଦୋକାନରେ ପ୍ରବେଶ କରିଥିଲେ। ବିଶ୍ୱନାଥ କର୍ମକାର ଓ ତାଙ୍କ ଦାଦା ସୁନା ମୁଦି ଦେଖାଉଥିବା ବେଳେ ଅଭିଯୁକ୍ତ ହଠାତ୍ ସେମାନଙ୍କୁ ଠେଲି ଦେଇ ୧୮ଟି ସୁନା ମୁଦି ଥିବା ଏକ ବାକ୍ସ ନେଇ ଫେରାର ହୋଇଯାଇଥିଲା। ଘଟଣା ପରେ ଲାଲବାଗ ଥାନା ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ବୈଷୟିକ ଓ ମାନବୀୟ ଗୁଇନ୍ଦା ସୂଚନାକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତଙ୍କ ପରିଚୟ ଓ ଅବସ୍ଥାନ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ଚଢ଼ାଉ କରି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ରାଇସିମିଲି ଅଞ୍ଚଳର ରାଜୁ ଓରଫ ରାଜେଶ ରାଉତ (୩୨)ଙ୍କୁ ଗିରଫ କରାଯାଇଥିଲା। ତାଙ୍କ ନିକଟରୁ ୧୮ଟି ସୁନା ମୁଦି ସମେତ ସମ୍ପୂର୍ଣ୍ଣ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି, ଯାହାର ମୋଟ ଓଜନ ୫୯.୪୫ ଗ୍ରାମ ବୋଲି ପୁଲିସ ସୂଚନା ଦେଇଛି। ପରେ ଅଭିଯୋଗକାରୀ ଜବତ ହୋଇଥିବା ସୁନା ମୁଦିଗୁଡ଼ିକୁ ଚିହ୍ନଟ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ପରେ ଅଦାଲତ ଚାଲାଣ କରାଯାଇଛି।

