କୂଅରେ ପଡ଼ିଲା ଭକ୍ତଙ୍କ ପିକଅପ୍ ଗାଡ଼ି, ୮ ଜଣଙ୍କ ମୃତ୍ୟୁ
ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ୮ ଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି। ରବିବାର ଅପରାହ୍ନରେ ଏକ ପିକଅପ୍ ଗାଡ଼ି ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ଏକ କୂଅ ଭିତରକୁ ଖସି ପଡ଼ିଥିଲା। ମୃତକମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ରହିଥିବା ଜଣାପଡ଼ିଛି।
ଏହି ଅଘଟଣ ମାଲଶିରାସ ତାଲୁକା ଅନ୍ତର୍ଗତ ମହସବାଦ-ପଣ୍ଡରପୁର ସଡ଼କର ତାଣ୍ଡୁଲୱାଡି ନିକଟରେ ଘଟିଛି। ପଣ୍ଡରପୁର ତାଲୁକାର ରଞ୍ଜନୀ ଗ୍ରାମର ଏହି ଭକ୍ତମାନେ ସିଦ୍ଧନାଥ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।
ଖବର ପାଇ ସ୍ଥାନୀୟ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ଦୁର୍ଘଟଣାର କାରଣ ନେଇ ତଦନ୍ତ ଜାରି ରହିଥିବା ବେଳେ ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

