ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’, ଦେଶ ପାଇଁ ବଡ଼ ଆଶ୍ୱସ୍ତି
ଭାରତୀୟ ଏଲ୍ଏନ୍ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା-ଇରାନ ମଧ୍ୟରେ ଶାନ୍ତି ବୁଝାମଣା ପରେ ଏହା ହର୍ମୁଜ ପ୍ରଣାଳୀ ପାର୍ କରିଥିବା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ସିପିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ନେତୃତ୍ୱାଧୀନ ଏକ କନସୋର୍ଟିୟମ୍ ଦ୍ୱାରା ପରିଚାଳିତ ‘ଦିଶା’ ଜାହାଜରେ ୬୨,୩୭୦ ମେଟ୍ରିକ ଟନ୍ ତରଳୀକୃତ ପ୍ରାକୃତିକ ଗ୍ୟାସ (LNG) ରହିଛି।
ଏହି ଏଲ୍ଏନ୍ଜି କାତାରର ରାସ୍ ଲାଫାନ୍ ବନ୍ଦରରୁ ଭାରତର ସର୍ବବୃହତ ଗ୍ୟାସ ଆମଦାନୀକାରୀ ସଂସ୍ଥା ପେଟ୍ରୋନେଟ୍ ଏଲ୍ଏନ୍ଜି ପାଇଁ ଅଣାଯାଉଛି। ଜାହାଜଟି ଆସନ୍ତା ଜୁନ୍ ୧୮ ତାରିଖରେ ଗୁଜରାଟର ଦାହେଜ୍ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି।
ଉଲ୍ଲେଖଯୋଗ୍ୟ, ଭାରତର ପ୍ରାୟ ୬୦ ପ୍ରତିଶତ ଏଲ୍ଏନ୍ଜି ଏବଂ ୪୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ ହର୍ମୁଜ ପ୍ରଣାଳୀ ଦେଇ ହୋଇଥାଏ। ତେଣୁ ‘ଦିଶା’ର ସୁରକ୍ଷିତ ଯାତ୍ରା ଦେଶର ଶକ୍ତି ସୁରକ୍ଷା ଓ ସାମୁଦ୍ରିକ ବାଣିଜ୍ୟ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଛି।

